ବଢ଼ିଲା ଉଦ୍ଧବଙ୍କ ଚିନ୍ତା, ପାର୍ଲାମେଣ୍ଟ ଅଫିସ ହରାଇବା ସ୍ଥିତିରେ ଶିବସେନା

ମୁମ୍ବାଇ, ୨୬।୬: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ଏବଂ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ସଙ୍କଟ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବୁଧବାର ସାରେ ଅନୁଷ୍ଠିତ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଆସି ନ ଥିବା ୨୩ ବିଧାୟକଙ୍କ ମଧ୍ୟରୁ ଉଦ୍ଧବ ଗୋଷ୍ଠୀର ପ୍ରମୁଖ ନେତାଙ୍କ ନାମ ଗୁରୁବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜନୈତିକ କମ୍ପନ ସୃଷ୍ଟି ହୋଇଛି। ଏଥିସହ ଉଦ୍ଧବ ଗୋଷ୍ଠୀର ୬ ଏମ୍‌ପି ଶିନ୍ଦେ ଗୋଷ୍ଠୀରେ ଯୋଗଦେବା ପରେ ପାର୍ଲାମେଣ୍ଟରେ ନିଜର ସ୍ବତନ୍ତ୍ର ପାର୍ଟି ଅଫିସ ହରାଇବା ସ୍ଥିତିକୁ ଚାଲିଆସିଛି ୟୁବିଟି। ଏହାକୁ ନେଇ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ଚିନ୍ତା ବଢ଼ିଯାଇଛି।
ଦଳୀୟ ସୂତ୍ର ଅନୁସାରେ, ବୈଠକକୁ ଆସି ନ ଥିବା ଉଦ୍ଧବ ଗୋଷ୍ଠୀର ବିଧାୟକଙ୍କ ମଧ୍ୟରେ ସଞ୍ଜୟ ରାଉତଙ୍କ ଭାଇ ସୁନୀଲ ରାଉତ, ଗଜାନନ ଲଭାଟେ, ବାବାଜୀ କାଲେ, ରାହୁଲ ପାଟିଲ ଏବଂ ସଞ୍ଜୟ ଡାରେକର ସାମିଲ ଅଛନ୍ତି। ବିଦ୍ରୋହ ଆଶଙ୍କା ଭିତରେ ସୁନୀଲ ରାଉତ ସଫେଇ ଦେଇ କହିଛନ୍ତି, ସେ ନିଜ ନିର୍ବାଚନମଣ୍ଡଳୀରେ ଥିବାରୁ ପ୍ରବଳ ବର୍ଷା ଯୋଗୁ ଆସିପାରି ନ ଥିଲେ, କିନ୍ତୁ ଶେଷ ପର୍ଯ୍ୟନ୍ତ ଉଦ୍ଧବ ଠାକରେଙ୍କ ସହ ରହିବେ। ଅପରପକ୍ଷେ ଦିଲ୍ଲୀରୁ ଉଦ୍ଧବ ଗୋଷ୍ଠୀ ପାଇଁ ଆଉ ଏକ ନକାରାତ୍ମକ ଖବର ଆସିଛି। ନିକଟରେ ୬ ଏମ୍‌ପି ଉଦ୍ଧବ ଗୋଷ୍ଠୀ ଛାଡ଼ି ଶିନ୍ଦେ କ୍ୟାମ୍ପକୁ ଚାଲିଯିବା ପରେ ଏବେ ପାର୍ଲାମେଣ୍ଟ ଭବନରେ ଥିବା ନିଜର ସ୍ବତନ୍ତ୍ର ପାର୍ଟି ଅଫିସ ହରାଇବା ସ୍ଥିତିକୁ ଚାଲିଆସିଛି ଶିବସେନା ୟୁବିଟି ଗୋଷ୍ଠୀ। ଏହି ସଙ୍କଟକୁ ନେଇ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ତଥା ଏମ୍‌ପି ଶ୍ରୀକାନ୍ତ ଶିନ୍ଦେ କଟାକ୍ଷ କରି କହିଛନ୍ତି, ଉଦ୍ଧବଙ୍କ ଏକଚ୍ଛତ୍ରବାଦୀ ନୀତି ଯୋଗୁ ହିଁ ଦଳ ଆଜି ଧ୍ୱଂସ ଅଭିମୁଖେ ଗତି କରୁଛି।

 

Dharitri – Odisha’s No.1 Odia Daily

Share