ୟୁବିଓଆଇର ନୂତନ କ୍ଷେତ୍ର ମହାପ୍ରବନ୍ଧକ

ଭୁବନେଶ୍ୱର,୧୪।୧୦: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ) ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ କ୍ଷେତ୍ର ମହାପ୍ରବନ୍ଧକ ଭାବେ ବରିଷ୍ଠ ବ୍ୟାଙ୍କର ସର୍ଭେଶ ରଞ୍ଜନ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ରଞ୍ଜନ ୟୁନିୟନ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଋଣନୀତି (ଷ୍ଟ୍ରାଟେଜି) ବିଭାଗର ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ୧୯୯୬ ରେ ସେ ବ୍ୟାଙ୍କରେ ଯୋଗ ଦେବା ସହ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି। ତାଙ୍କର ୨୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ପ୍ରାୟ ୮ ବର୍ଷ ଧରି ବିଭିନ୍ନ ଶାଖାରେ କାର୍ଯ୍ୟ କରିଥିଲା ବେଳେ ବାକି ସମୟରେ ପ୍ରଶାସନିକ କାର୍ଯ୍ୟାଳୟ ଓ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ଭୁବନେଶ୍ୱରସ୍ଥିତ ଏହି ଆଞ୍ଚଳିକ କାର୍ଯ୍ୟାଳୟ ଅଧିନରେ ବ୍ୟାଙ୍କର ୬ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ରହିଛି। ଷ୍ଟେଟ୍‌ ବ୍ୟାଙ୍କ ପରେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଶାଖା ନେଟ୍‌ୱର୍କ ମାଧ୍ୟମରେ ଗ୍ରାହକ ସେବା ପ୍ରଦାନ କରାଯାଉଛି। ଗ୍ରାହକ ସନ୍ତୁଷ୍ଟିକୁ ଅଧିକ ଧ୍ୟାନ ଦେବେ ବୋଲି ରଞ୍ଜନ ମତପ୍ରକାଶ କରିଛନ୍ତି।