ଭୁବନେଶ୍ବର,୧୩।୧୧: ଓଡ଼ିଶାରେ ଉବେର ଓ ରାପିଡୋର ବାଇକ୍ ଟ୍ୟାକ୍ସି ସେବାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଆପ୍ ଜରିଆରେ ଯାତ୍ରୀ ପରିବହନରେ ବ୍ୟବହୃତ ହେଉଥିବା ଘରୋଇ ନମ୍ବର ଥିବା ଦୁଇଚକିଆ ଯାନର ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉବେର ଓ ରାପିଡୋର ନୋଡାଲ ଅଧିକାରୀଙ୍କୁ ଚିଠି ଲେଖିଛି ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ।
କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ, ଘରୋଇ ନମ୍ବର ଥିବା ଦୁଇଚକିଆ ଯାନକୁ ଆଗ୍ରିଗେଟର୍ ଆଧାରିତ ଯାତ୍ରୀ ପରିବହନରେ ବ୍ୟବହାର କରାଯାଉଥିବା ଅଭିଯୋଗ ଆସିଛି। ଏହା ମୋଟର ଭେଇକିଲ୍ ଆକ୍ଟ, ୧୯୮୮ ଏବଂ ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଆଗ୍ରିଗେଟର୍ ଗାଇଡ୍ଲାଇନ୍ସ, ୨୦୨୩ର ଉଲ୍ଲଂଘନ ବୋଲି ଦର୍ଶାଯାଇଛି।
କଟକ ଆରଟିଓ ଏବଂ ଭୁବନେଶ୍ୱର-୧ ଓ ଭୁବନେଶ୍ୱର-୨ ଆରଟିଓଙ୍କ ସ୍ୱତନ୍ତ୍ର ଏନ୍ଫୋର୍ସମେଣ୍ଟ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ନୋଟିସ୍ ପାଇବାର ୧୫ ଦିନ ମଧ୍ୟରେ ଏଭଳି ଅନଧିକୃତ ବାଇକ୍ ଯାତ୍ରୀ ପରିବହନ ସେବା ବନ୍ଦ କରିବାକୁ କୁହାଯାଇଛି। ନିର୍ଦ୍ଦେଶ ପାଳନ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଛି।
ତେବେ ଏହି ନିଷ୍ପତ୍ତି କେବଳ ଘରୋଇ ନମ୍ବର ଥିବା ଦୁଇଚକିଆ ଯାନରେ ଯାତ୍ରୀ ପରିବହନ ସେବାକୁ ନେଇ। ଉବେରର କାର୍ ଓ ଅଟୋ ସେବା ପୂର୍ବଭଳି ଜାରି ରହିପାରିବ ବୋଲି ସ୍ପଷ୍ଟ କରାଯାଇଛି। ତେବେ ଏନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିପାରି ନାହିଁ ।