ହକି ଖେଳିବା ବେଳେ ଚାଲିଗଲା ୨ ଜୀବନ

ସୁନ୍ଦରଗଡ଼,୩।୫(ଡି.ଏନ୍‌.ଏ.): ଖେଳ ହେଲା କାଳ। ହକି ଖେଳିବା ବେଳେ ଚାଲିଗଲା ୨ ଯୁବକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗ୍ରାମରେ। ମୃତକ ହେଲେ ଝଗଡ଼ପୁର ଗ୍ରାମର ବୀରେନ୍ଦ୍ର କୁଜୁର(୨୦) ଏବଂ ପଣ୍ଡରା ଗ୍ରାମର ସୁଜଲ ଏକ୍କା(୧୯)।

ମିଳିଥିବା ସୂଚନା ମୁତାବକ, ଗରିଆମାଲ ଗାଁ ପଡିଆରେ ମଙ୍ଗଳବାର ହକି ଖେଳ ଚାଲିଥିଲା। ସେତିକିବେଳେ ପଡ଼ିଆ ପାଖରେ ଥିବା ଏକ ଲୁହା ପାଇପକୁ ସ୍ଥାନାନ୍ତର କରାଯାଉଥିଲା। ହେଲେ ଲୁହା ପାଇପ୍‌ଟି ପାଖରେ ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ୨ଜଣ ଯୁବକ ଗୁରୁତର ହୋଇପଡିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।