ଦୁଇବର୍ଷ ପରେ ଶୁଭିଲା ‘ବୋଲବମ୍‌’

ଆରଡ଼ି, ୧୮।୭ (ଡି.ଏନ.ଏ.) – ଚଳିତବର୍ଷ ଶ୍ରାବଣ ମାସ ପ୍ରଥମ ସୋମବାର କାଉଡ଼ିଆମାନେ ଆରଡ଼ି ଆଖଣ୍ଡଳମଣି ପୀଠରେ ଜଳଲାଗି କରିବେ। କୋଭିଡ୍‌ କଟକଣା ହଟିବାରୁ ଦୁଇବର୍ଷ ପରେ ସେମାନେ ଆରଡ଼ିରେ ଶ୍ରାବଣୀ ମହାଦେବଙ୍କୁ ଜଳଲାଗି କରିବାର ସୁଯୋଗ ପାଇବେ।
ଏଥିପାଇଁ ରବିବାର ପ୍ରଭାତରୁ କାଉଡିଆମାନେ ବୈତରଣୀ, ସାଳନ୍ଦୀ, ବ୍ରାହ୍ମଣୀ, ଖରସ୍ରୋତା ଆଦି ନଦୀରୁ ପୂଜାର୍ଚ୍ଚନା କରି ଜଳଭାର ନେଇ ଆରଡ଼ିକୁ ଆସୁଛନ୍ତି। ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରୁ କାଉଡ଼ିଆମାନେ ଉତ୍ସାହିତ ଅଛନ୍ତି। ଦୁଇବର୍ଷ ପରେ ସେମାନଙ୍କ ବୋଲବମ୍‌ ଧ୍ୱନି ଶୁଣିବାକୁ ମିଳିଛି।
କାଉଡ଼ିଆମାନେ ଯେପରି ଅସୁବିଧାରେ ନ ପଡ଼ନ୍ତି ସେଥିଲାଗି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ମନ୍ଦିର ପରିଚାଳକ କହିଛନ୍ତି। ସେହିଭଳି ବେତାଳିଗାଁ, ମଠଡିହ, ପହଣା ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରେ ବ୍ୟାପକ ପୋଲିସ ନିୟୋଜିତ ହୋଇଛନ୍ତି। ପୀଠ ଓ ଏହା ଆଖପାଖ ଅଞ୍ଚଳରେ ୨୪ ଘଣ୍ଟା ବିଦ୍ୟୁତ୍‌ ସେବା ଯୋଗାଣ, ପ୍ରକଳ୍ପ ଜଳ ଯୋଗାଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୋଠାର, ବେତାଳିଗଁା ଆଦି ସ୍ଥାନରେ କାଉଡ଼ିଆମାନଙ୍କ ଲାଗି ଖାଦ୍ୟ ଓ ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମଠଡିହ ବଜାରରେ ଭଦ୍ରକ ବସ୍‌ ସିଣ୍ଡିକେଟ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ପ୍ରଥମ ସୋମବାର ପ୍ରାୟ ୨୦ ହଜାରରୁ ଅଧିକ କାଉଡ଼ିଆ ଭକ୍ତ ଜଳଲାଗି କରିବେ ବୋଲି ଆକଳନ କରାଯାଇଛି।