ନନ୍ଦପୁର/ପାଡୁଆ,୪।୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାକୁ ଲାଗି ରହିଥିବା ଆନ୍ଧ୍ର ପେଦାବାଇଲି ସୋମବାର ହାଟରେ କାଳବୈଶାଖୀ ତାଣ୍ଡବ ରଚିଛି। ଅପରାହ୍ନରେ ହାଟରେ ଗହଳି ଲାଗିଥିବା ବେଳେ ହଠାତ୍ କାଳବୈଶାଖୀ ପବନ ବର୍ଷାରେ ହାଟ ମଝିରେ ଥିବା ଏକ ବିରାଟ ଗଛ ଉପୁଡ଼ି ପଡ଼ିଯାଇଥିଲା। ଏଥିରେ ଗଛ ତଳେ ଚାପି ହୋଇ ଓଡ଼ିଶା ଅଞ୍ଚଳର ଦୁଇ ମହିଳା ସିତାମା ଖଡା (୨୭) ତିଳତମା ଖରା (୩୦)ଙ୍କ ମୃତ୍ୟୁ ଘଟିଛି। ୨ ଜଣ ମନି ପାମ୍ପା ଓ ରାମଚନ୍ଦ୍ର ପାମ୍ପା ଗୁରୁତର ହୋଇଥିଲେ। ସେମାନଙ୍କୁ ନିକଟସ୍ଥ ଆନ୍ଧ୍ର ମୁଚିମପୁଟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆହତଙ୍କ ଚିକିତ୍ସା ଚାଲିଛି। ୨ ମୃତକ ହେଲେ ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତ ଜରାଇ ଗ୍ରାମର ଓ ୨ ଆହତ ପାନ୍ଥଲୁଙ୍ଗ ଗ୍ରାମର ବୋଲି ସୂଚନା ମିଳିଛି।
ଆନ୍ଧ୍ର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ଦୁଇ ମହିଳାଙ୍କ ମୃତଦେହ ଉଦ୍ଧାର କରି ମୁଚିମପୁଟ (ଆନ୍ଧ୍ର) ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି। ନିକଟସ୍ଥ ତୁମ୍ବାକୋଟା ଗାଁରେ ଏକ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଯୋଗଦେବାକୁ ଯାଇଥିବା ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ତ୍ୱରିତ ଚିକିତ୍ସା ଲାଗି ଆନ୍ଧ୍ର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କୋରାପୁଟ ଜିଲା ପ୍ରଶାସନୁ ମୃତକଙ୍କ ପରିବାରକୁ ରେଡକ୍ରସ ସହାୟତା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ନନ୍ଦପୁର ବିଡିଓ ତଥା ଭାରପ୍ରାପ୍ତ ତହସିଲଦାର ଦୁର୍ଗା ପ୍ରସାଦ ଦୋରା କୋରାପୁଟ ଜିଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି। ନିର୍ଦ୍ଦେଶ ମୁତାବକ ଆଗାମୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ସୂଚନା ଥାଉକି ଆନ୍ଧ୍ର-ଓଡ଼ିଶା ସମ୍ପର୍କର ସେତୁ ସୋଭାପୁଟ ବ୍ରିଜ ଆରପଟ ଓଡ଼ିଶା ଆରଡି ବିଭାଗର ଥିବା ୪୦୦ ମିଟର ରାସ୍ତା ଠାରୁ ମାତ୍ର ୧୦୦ ମିଟର ଦୂରରେ ପେଦାବାଇଲିଠାରେ ସୋମବାର ସାପ୍ତାହିକ ହାଟ ଅନୁଷ୍ଠିତ ହୁଏ। ହାଟରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତବାସୀ ନିଜ ନିଜର ଉତ୍ପାଦ ବିକ୍ରି କରିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣା ବିକା କରନ୍ତି।