ଭୁବନେଶ୍ୱର, ୨୨ା୬ (ବନ୍ଦନା ସେଠୀ): ରେଳ ଭିତ୍ତିଭୂମିକୁ ଆହୁରି ଦୃଢ଼ କରିବା ସହ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି ଭାରତୀୟ ରେଳ। ଏହି କ୍ରମରେ ରାଷ୍ଟ୍ର ଉଦ୍ଦେଶ୍ୟରେ ୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉତ୍ସର୍ଗ କରାଯାଇଛି। ଶନିବାର ମୟୂରଭଞ୍ଜ ଜିଲା ରାଇରଙ୍ଗପୁରଠାରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ପୂର୍ବତଟ ରେଳପଥ ଅଧୀନରେ ବିକଶିତ ଦୁଇ ଗୁରୁତ୍ୱପୂର୍ଣ୍ଣ ମଲ୍ଟି ଟ୍ରାକିଂ ରେଳ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଏହି ଦୁଇଟି କ୍ଷମତା ବୃଦ୍ଧି ପ୍ରକଳ୍ପ ମଧ୍ୟରେ ୧୯ କି.ମି. ଦୈର୍ଘ୍ୟ ବିଶିଷ୍ଟ ଯଖପୁରା-ଯାଜପୁର କେନ୍ଦୁଝର ରୋଡ୍-ବୈତରଣୀ ରୋଡ୍ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ରହିଛି। ୩୨୩ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଥିବା ଏହି ପ୍ରକଳ୍ପଟି ବୃହତ ଭଦ୍ରକ ନିର୍ଗୁଣ୍ଡି ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଏକ ଅଂଶ ଭାବରେ ବିକଶିତ କରାଯାଇଛି। ଏହି ପ୍ରକଳ୍ପଟି ଅତ୍ୟଧିକ ବ୍ୟସ୍ତବହୁଳ ହାୱଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ କ୍ଷମତା ବୃଦ୍ଧି କରିବ, ଭିଡ଼ ହ୍ରାସ କରିବ, ସମୟାନୁବର୍ତ୍ତିତାରେ ସୁଧାର ଆଣିବ ଏବଂ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନଗୁଡ଼ିକର ଦ୍ରୁତ ଚଳାଚଳ ନିଶ୍ଚିତ କରିବ। ଏଥିସହ କୋଇଲା ଏବଂ ଅନ୍ୟାନ୍ୟ ଭାରୀ ସାମଗ୍ରୀର ନିରବଚ୍ଛିନ୍ନ ପରିବହନରେ ମଧ୍ୟ ସହାୟକ ହେବ। ନିକଟସ୍ଥ ବନ୍ଦର, ଶିଳ୍ପ ଏବଂ ବାଣିଜି୍ୟକ କେନ୍ଦ୍ରଗୁଡ଼ିକୁ ସୁଦୃଢ଼ ଲଜିଷ୍ଟିକ ସହାୟତା ପ୍ରଦାନ କରିବ। ସେହିପରି ୪୦୯ କୋଟି ଟଙ୍କା ବ୍ୟୟରେ ୨୭ କି.ମି. ଦୈର୍ଘ୍ୟ ବିଶିଷ୍ଟ ହିନ୍ଦୋଳ ରୋଡ଼-ମେରାମଣ୍ଡଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ଏହା ବୁଢ଼ାପଙ୍କ-ଶାଳଗଁା ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଏକ ଅଂଶ ଅଟେ। ଏହି ପ୍ରକଳ୍ପ ଟ୍ରେନ ପରିଚାଳନା କ୍ଷମତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ, ପରିଚାଳନାଗତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବ ଏବଂ କୋଇଲା, ଇସ୍ପାତ, ବିଦ୍ୟୁତ୍ କ୍ଷେତ୍ର ପାଇଁ ଆବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ଶିଳ୍ପଜାତ ସାମଗ୍ରୀର ସୁଗମ ପରିବହନକୁ ସହାୟତା କରିବ। ଏହି ପ୍ରକଳ୍ପଗୁଡ଼ିକ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବା ଦିଗରେ ଆଉ ଏକ ପ୍ରମୁଖ ପଦକ୍ଷେପ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।