ପୂର୍ବ ଉପକୂଳବର୍ତ୍ତୀ ସମୁଦ୍ରରେ ୨ ମାସିଆ କଟକଣା

ପାରାଦୀପ,୧୫ା୪(ସ୍ବ.ପ୍ର.): ଓଡ଼ିଶାର ୪୮୦ କିମି ପୂର୍ବ ଉପକୂଳ ସମୁଦ୍ରରେ ଶୁକ୍ରବାରଠାରୁ ୨ ମାସିଆ ସାମୁଦ୍ରିକ କଟକଣା ଲାଗୁ ହୋଇଛି। ଜୁନ୍‌ ୧୪ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିିବ। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ପ୍ରବେଶ ଉପରେ ବାରଣ କରାଯାଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଏନେଇ ନୋଟିସ(୧୦୩୩) ଜାରି କରାଯାଇଛି। ସାମୁଦ୍ରିକ ମତ୍ସ୍ୟ ସମ୍ପଦ ସଂରକ୍ଷଣ ଓ ସୁପରିଚାଳନା ପାଇଁ ଏହି କଟକଣା ଲଗାଯାଇଛି ବୋଲି ସେଥିରେ ଦର୍ଶାଯାଇଛି। ଫଳରେ ୨ମାସ ପର୍ଯ୍ୟନ୍ତ ଓଡ଼ିଶାର ସର୍ବବୃହତ୍‌ ପାରାଦୀପ ମାଛଧରା ବନ୍ଦର ସମେତ କଟକଣା ପରିଧି ମଧ୍ୟରେ ଆସୁଥିବା ଅନ୍ୟାନ୍ୟ ଅଞ୍ଚଳରେ ମାଛ ଧରା ବନ୍ଦ ରହିବ। ଏଥିଯୋଗୁ ମତ୍ସ୍ୟ ଶିଳ୍ପ ଉପରେ ନିର୍ଭରଶୀଳ ବହୁ ମତ୍ସ୍ୟଜୀବୀ ପ୍ରଭାବିତ ହେବେ। ମାତ୍ର ଏହି କଟକଣାକୁ ବିରୋଧ କରାଯିବ ନାହିଁ ବୋଲି ଟ୍ରଲର ମାଲିକ ଅରବିନ୍ଦ ସ୍ବାଇଁ କହିଛନ୍ତି। ସେ କହିଛନ୍ତି, ସମୁଦ୍ରରେ ଏପ୍ରିଲରୁ ଜୁନ ମଧ୍ୟରେ ମାଛଙ୍କ ପ୍ରଜନନ ସମୟ ହୋଇଥାଏ। ଏହି ସମୟରେ ମାଛ ଧରିଲେ ତାଙ୍କର ଜୀବନଚକ୍ର ପ୍ରଭାବିତ ହୋଇଥାଏ। ଏପରି କି ମା’ ଓ ଛୁଆ ମାଛ ଜାଲରେ ପଡି ମରିଯାଆନ୍ତି। ଯାଆଁଳ ରହିଲେ ବର୍ଷା ଋ଼ତୁରେ ବଡ ହୋଇଥାନ୍ତି। ପରବର୍ତ୍ତୀ ସମୟରେ ତାହା ମତ୍ସ୍ୟଜୀବୀଙ୍କ ପାଇଁ ଲାଭଦାୟକ ହୋଇଥାଏ।
ମାଛଧରା ବନ୍ଦରରେ ଏବେ ୫୯୯ ବୃହତ୍‌ ଟ୍ରଲର ଓ ୨୫୦ରୁ ଅଧିକ ଯନ୍ତ୍ର ଚାଳିତ ଡଙ୍ଗା ରହିଛି। ଏସବୁ ବୋଟ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୪୦ ହଜାର ଲୋକ ରୋଜଗାର କରିଥାନ୍ତି। ୨୦୧୭ ପୂର୍ବରୁ ସାମୁଦ୍ରିକ କଟକଣା ୪୫ ଦିନ ଥିଲା। ୨୦୧୭ ମାର୍ଚ୍ଚ ୨୯ରେ ସରକାର ଏଥିରେ ପରିବର୍ତ୍ତନ କରି ନୂଆ ବିଜ୍ଞପ୍ତି(୪୦୩୮)ଲାଗୁ କରିଥିଲେ। ସେତେବେଳ କଟକଣା ସମୟ ବଢ଼ାଇ ୨ ମାସ କରାଯାଇଥିଲା।