ଖେଳୁଥିବା ବେଳେ ବାଲି ଧସି ଦୁଇ ନାବାଳକଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା ଅଫିସ,୯ା୬: କେନ୍ଦ୍ରାପଡ଼ା ବ୍ଲକ ଚକ୍ରୋଡ଼ା ପଞ୍ଚାୟତର ମାଗୁର ଗଣ୍ଡପାଟଣା ଗ୍ରାମରେ ବାଲି ଧସି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ନାବାଳକଙ୍କ ମୃତ୍ୟୁ ଘୋଷଣା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ସଦରଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ସହ ଦୁଇ ମୃତଦେହର ପୋଷ୍ଟମର୍ଟମ କରାଯାଉଛି। ଗ୍ରାମର ଏକ ପୋଖରୀ ନବୀକରଣ ପାଇଁ ମାଟି ଓ ବାଲି ଉଠାଯାଇଥିଲା। ଏହି ପୋଖରୀରୁ ମାଛ ଧରିବା ପାଇଁ ଗ୍ରାମର ବୁଦ୍ଧରାମ ଚାମିଆଙ୍କ ପୁଅ ସୁରେନ୍ଦ୍ର ଚାମିଆ (୧୩) ଓ ସୁରେନ୍ଦ୍ର ଚକ (୯)ଙ୍କ ସହିତ ଅନ୍ୟ ଦୁଇଜଣ ବାଳକ ବୁଧବାର ଅପରାହ୍ନରେ ଯାଇଥିଲେ। ଚାମିଆ ଓ ଚକ ଦୁଇ ଜଣ ଏହି ବାଲିରେ ଖେଳୁଥିବା ବେଳେ ବାଲି ଧସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ସନ୍ଧ୍ୟାରେ ଗ୍ରାମର ଅନ୍ୟ ଦୁଇ ବାଳକ ମୃତକ ଦୁଇ ଭାଇଙ୍କୁ ସେଠାରେ ନ ପାଇ ଘରକୁ ଫେରିଥିଲେ। ତେବେ ବିଳମ୍ବିତ ରାତିରେ ଖୋଜାଖୋଜି ପରେ ବାଲିରେ ଥିବା ଜଣାପଡ଼ିଥିଲା। ସ୍ଥାନୀୟ ଗ୍ରାମବାସୀ ଦୁଇ ନାବାଳକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ସେମାନେ ମୃତ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଏ ସମ୍ପର୍କରେ ଥାନା ପକ୍ଷରୁ ଘଟଣାର ଅନୁସନ୍ଧାନ କରାଯାଉଛି।