ଦିଗପହଣ୍ଡି ବ୍ଲକ ପାଇଁ ଗୌରବ ଆଣିଲେ ଶ୍ରୁତିଲେଖା ଓ ବିଜୟଲକ୍ଷ୍ମୀ: ଜିଲାସ୍ତରୀୟ ପ୍ରତିଯୋଗିତାରେ ହାସଲ କଲେ ଶ୍ରେଷ୍ଠତ୍ୱ

ଦିଗପହଣ୍ଡି,୧୩|୧୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ବ୍ରହ୍ମପୁର ଶ୍ରମ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମପଞ୍ଚାୟତ’ ଅଭିଯାନ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକର ଦୁଇ ଛାତ୍ରୀ ବାଜି ମାରିନେଇଛନ୍ତି। ଶୁକ୍ରବାର ବ୍ରହ୍ମପୁରସ୍ଥିତ ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ବି. ତୁରୁବୁଡ଼ି ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀ କେ. ଶ୍ରୁତିଲେଖା ରେଡ୍ଡୀ ଏବଂ ଗୋକର୍ଣ୍ଣପୁର ଗ୍ରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ଏମ୍. ବିଜୟଲକ୍ଷ୍ମୀ ରେଡ୍ଡୀ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।

‘ଶିଶୁ ଶ୍ରମ ମୁକ୍ତ ଗ୍ରାମପଞ୍ଚାୟତ’ ଶୀର୍ଷକ ଉପରେ ଆଧାରିତ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରବନ୍ଧ ଲିଖନରେ କେ. ଶ୍ରୁତିଲେଖା ରେଡ୍ଡୀ ଶ୍ରେଷ୍ଠତ୍ୱ ହାସଲ କରିଥିବା ବେଳେ ବକ୍ତୃତା ପ୍ରତିଯୋଗିତାରେ ଏମ୍. ବିଜୟଲକ୍ଷ୍ମୀ ରେଡ୍ଡୀ ପ୍ରଥମ ସ୍ଥାନ ଅଳଙ୍କୃତ କରିଥିଲେ।

ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଉଭୟ କୃତୀ ଛାତ୍ରୀଙ୍କୁ ୩ ହଜାର ଟଙ୍କା ଲେଖାଏ ଆର୍ଥିକ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। ଦୁଇ ଛାତ୍ରୀଙ୍କ ଏହି ସଫଳତା ଦିଗପହଣ୍ଡି ବ୍ଲକ ପାଇଁ ଗୌରବ ଆଣିଦେଇଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଅଭିଭାବକ ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

Dharitri – Odisha’s No.1 Odia Daily

Share