ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ଘଟଣା: ୨ମୁଖ୍ୟ ଅଭିଯୁକ୍ତ ଗିରଫ

ଗଞ୍ଜାମ,୯।୫(ଡି.ଏନ୍‌.ଏ.): ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନାଙ୍କ ସହ ୩ ଆର୍‌ଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରାଙ୍କୁ ଆକ୍ରମଣକାରି ଲହୁଲୁହାଣ ଘଟଣାରେ ଗଞ୍ଜାମ ପୋଲିସ ସୋମବାର ୨ଜଣଙ୍କୁ ଗିରଫ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଚଳାଇଛି।
ଏନେଇ ପୋଲିସ ଏକ ମାମଲା(ନଂ.୬୯/୨୨) ରୁଜୁ କରିଛି। ମାମଲାର ତଦନ୍ତ ଦାୟିତ୍ୱ ଏସ୍‌ଡିପିଓ ଗୌତମ କିଷାନ ନେଇଛନ୍ତି l ଗିରଫ ଅମଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ, ମାଳି ଜଗନ୍ନାଥପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ତହସିଲ କାର୍ଯ୍ୟାଳୟକୁ ସୂଚନା ମିଳିଥିଲା। ଏନେଇ ଗଞ୍ଜାମ ଅତିରିକ୍ତ ତହସିଲଦାର ଜେନା ଏବଂ ୩ ଆର୍‌ଆଇ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ।

ସେତିକିବେଳେ ୪ ଜଣ ବାଲି ବ୍ୟବସାୟୀ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏପରି କି ସେମାନ ବନ୍ଧୁକ ଦେଖାଇ ଜୀବନରେ ତାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ। ଅନ୍ୟପକ୍ଷେ ଅଧିକାରୀମାନଙ୍କ ସୁନାଚେନ୍‌, ମୁଦି, ମୋବାଇଲ ଫୋନ୍‌ ସହ ପର୍ସ ଛଡ଼ାଇ ଫେରାର ହୋଇଯାଇଥିଲେ। ଏନେଇ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫକରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଥାନା ପକ୍ଷରୁ କୁହାଯାଇଛି।