ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର ହୋଇଛି। ଏହି ଘଟଣାରେ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ ଯୋଗୁ ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ଏସ୍ସିବି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗିରହିଥିଲା। ଶନିବାର ନିକଟସ୍ଥ ଷଷ୍ଠୀ ଦେବୀ ମନ୍ଦିର ପ୍ରାଙ୍ଗଣରେ ସତ୍ସଙ୍ଗ ଚାଲିଥିବା ବେଳେ ବେଦପୁର ଗ୍ରାମର ସିଦ୍ଧାର୍ଥ ମଲ୍ଲିକ, ଶକ୍ତି ମଲ୍ଲିକ, ଗନ୍ଧର୍ବ ମଲ୍ଲିକ ଓ ବୁଲୁ ମଲ୍ଲିକ ଖଣ୍ଡା, ଭୁଜାଲୀ ଓ ଠେଙ୍ଗା ଧରି ସୋମନାଥ ପଣ୍ଡା ଓ ରାକେଶ ପଣ୍ଡାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।
ପରେ ସେମାନେ ସୋମନାଥ ଓ ରାକେଶଙ୍କ ଉପରେ ଖଣ୍ଡା ଓ ଭୁଜାଲୀରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଖଣ୍ଡା ଚୋଟରେ ସୋମନାଥଙ୍କ ହାତ କଟିଯାଇଥିବା ବେଳେ ରାକେଶଙ୍କ ଆଙ୍ଗୁଠି କଟିଯାଇଥିବା ଜଣାପଡ଼ିଛି। ଏନେଇ ଆହତଙ୍କ ଦାଦା ବରେନ୍ଦ୍ର କୁମାର ପଣ୍ଡା ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ପରେ ଉଭୟ ଆହତଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସେମାନଙ୍କୁ କଟକ ଏସ୍ସିବି ମେଡିକାଲ୍କୁ ସ୍ଥାନାନ୍ତର କରିଛନ୍ତି।ଖବର ପାଇ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ଘଟଣାର ବିଭିନ୍ନ ଦିଗ ନେଇ ପୋଲିସ ଛାନଭିନ୍ ଜାରି ରଖିଛି।
ଅନ୍ୟପକ୍ଷରେ, ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୁକ୍ତ ଓ ଯୁବକମାନେ ପୂର୍ବରୁ ମଧ୍ୟ ବୋମାମାଡ଼ କରି ମରଣାନ୍ତକ ଆକ୍ରମଣ କରିଥିବା ଏବଂ ଏବେ ମଧ୍ୟ ଖୋଲାଖୋଲି ଭାବେ ବୁଲୁଥିବା ଆହତଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଏବଂ ପରିବାରର ଜୀବନ ପ୍ରତି ବିପଦ ରହିଥିବା ସେମାନେ କହିଛନ୍ତି।