ସରକାରୀ ଅର୍ଥ ହରିଲୁଟ୍‌ ମାମଲା: ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ପରେ ମିଳିଲା ଏହି ଦଣ୍ଡ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଦୁଇଜଣ ପୂର୍ବତନ ଯନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ସଦାନନ୍ଦ ପ୍ରଧାନ ଏବଂ ବର୍ତ୍ତମାନ ନୟାଗଡ଼ ଜିଲା ଦଶପଲାସ୍ଥିତ ବୃତାଙ୍ଗ ଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ବିରଞ୍ଚି ନାରାୟଣ ଦାଶଙ୍କୁ ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୦୮-୨୦୦୯ସରେ ମାନେଶ୍ୱର ବ୍ଲକରେ ମନରେଗା ଯୋଜନାରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟରେ ମିଥ୍ୟା ମାପ ପ୍ରଦର୍ଶନ କରି ସରକାରୀ ଅର୍ଥ ହରିଲୁଟ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏହି ଦୁଇ ଯନ୍ତ୍ରୀଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା। ଶନିବାର ମାମଲାର ବିଚାର କରି ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତ୍ୟେକଙ୍କୁ ୨ ବର୍ଷର ସଶ୍ରମ କାରାଦଣ୍ଡ ଓ ଜରିମାନା ସଜା ଶୁଣାଇଛନ୍ତି। ଏହି ଦଣ୍ଡାଦେଶ ପରେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ସଦାନନ୍ଦ ପ୍ରଧାନଙ୍କ ପେନ୍‌ସନ୍‌ ବନ୍ଦ କରିବା ଏବଂ କାର୍ଯ୍ୟରତ ଯନ୍ତ୍ରୀ ବିରଞ୍ଚି ନାରାୟଣ ଦାଶଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖି ସୁପାରିସ କରାଯିବ ବୋଲି ସୂଚନା ମିଳିଛି।

Dharitri – Odisha’s No.1 Odia Daily

Share