କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ପ୍ରଶାସନ ଏବଂ ବିଲେଇପଦା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଦଳର ତତ୍ପରତା ଯୋଗୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ବ୍ୟକ୍ତି କେନାଲରେ ଗାଧୋଉଥିବା ବେଳେ ହଠାତ୍ ଜଳସ୍ରୋତ ବଢ଼ିଯିବାରୁ ସେମାନେ ଭାସି ଯାଇଥିଲେ। ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ବିନା ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚି ଅତି ସାହସିକତାର ସହ କେନାଲରୁ ଉଭୟଙ୍କୁ ସଫଳତାର ସହ ଉଦ୍ଧାର କରି ଏକ ବଡ଼ଧରଣର ବିପତ୍ତିକୁ ଟାଳି ଦେଇଥିଲେ।
ବର୍ତ୍ତମାନର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନଦୀ, କେନାଲ, ବନ୍ଧ, ଜଳାଶୟ କିମ୍ବା ଅନ୍ୟ କୌଣସି ଜଳଉତ୍ସ ନିକଟକୁ ନଯିବା ଏବଂ ସେଗୁଡ଼ିକରେ ପ୍ରବେଶ ନକରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ କଡ଼ା ନିବେଦନ କରାଯାଇଛି।