ଦୁଇଦିନ ଝଡ଼ତୋଫାନ

ଭୁବନେଶ୍ୱର,୨୩।୫(ବ୍ୟୁରୋ) : ତାତିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା। ଶନିବାରଠାରୁ ରବିବାର ସକାଳ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନାନୁସାରେ କେନ୍ଦୁଝର ଘସିପୁରାରେ ସର୍ବାଧିକ ୬୨.୧ ମିମି ବର୍ଷା ହୋଇଥିବାବେଳେ କୋରେଇରେ ୫୬.୨, ଦାନଗଦି ୫୩, ଯାଜପୁର ୪୩, ଝୁମ୍ପୁରା ୪୧.୨, ସୁକିନ୍ଦା ୪୧, ସତ୍ୟବାଦୀ ୩୮, ବାଂଶପାଳ ୩୭.୧, ଭୁବନେଶ୍ୱର ୩୬.୨, ଭୁବନ ୩୬, କୁତ୍ରା ୩୬, ପୁରୀ ୩୫.୩, ଚାନ୍ଦବାଲି ୩୪.୯, ଭଦ୍ରକ ୩୪.୨, କଣ୍ଟପଡ଼ା ୩୪, ନରସିଂହପୁରରେ ୩୩ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ କେନ୍ଦୁଝରରେ ଝଡ଼ତୋଫାନ ସହ ବଜ୍ରପାତ ହେବ। ତେଣୁ ଏ ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯିବା ସହିତ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସେହିଭଳି ମଙ୍ଗଳବାର ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଏବଂ ପୁରୀକୁ ଝଡ଼ତୋଫାନ ଓ ବଜ୍ରପାତ ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଏସବୁ ଜିଲାରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦କିମି ରହିବ। ସେପଟେ ଏହି ବର୍ଷା ଯୋଗୁ ରବିବାର ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲା। ବୌଦ୍ଧ ଜିଲାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ମାଲକାନଗିରି ୪୨, ଟିଟିଲାଗଡ଼ ୪୧.୮, ନୂଆପଡ଼ା ୪୧.୫, ସୋନପୁର ୪୦.୩, ଭବାନୀପାଟଣାରେ ୪୧ ଡିଗ୍ରୀ ତାପମାତ୍ରା ରହିଥିଲା।