ଦୁଇଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ୍‌ମାର୍କର ରୂପ ନେଇ ସାରିଛି। ଗୁରୁବାର ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ଦୁଇଦିନ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୨୨ତାରିଖରେ ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେଥିପାଇଁ ଏସମସ୍ତ ଜିଲାକୁ ଅରେଞ୍ଜ ଓ୍ବାନିର୍ଂ ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଏସବୁ ଜିଲାର ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବା ସହ ଭୂସ୍ଖଳନ ହେବା ଆଶଙ୍କା ରହିଛି। ପ୍ରବଳ ବର୍ଷା ଯୋଗୁ କଚ୍ଚାଘର ଭାଙ୍ଗିବାର ଆଶଙ୍କା ଥିବାରୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ସେହିପରି ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବ। ଏସମସ୍ତ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହାଛଡ଼ା କନ୍ଧମାଳ, ବୌଦ୍ଧ, କେନ୍ଦୁଝର, ଅନୁଗୋଳ, ମାଲକାନଗିରି, ରାୟଗଡ଼ା ଜିଲାର ଅନେକ ସ୍ଥାନରେ ବର୍ଷା ହେବ।
ସେହିପରି ୨୩ତାରିଖରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ାରେ ବର୍ଷା ହେବାର ଅଛି। ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ପ୍ରବଳ ବର୍ଷା ହେବ। ସେଥିପାଇଁ ଏସବୁ ଜିଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି। ବୁଧବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି। ଗୋପାଳପୁରରେ ସର୍ବାଧିକ ୧୭ମି.ମି. ବର୍ଷା ହୋଇଥିବା ବେଳେ ଛତ୍ରପୁରରେ ୧୫ମି.ମି., ପୁରୀରେ ୧୧ମି.ମି., ଭୁବନେଶ୍ୱରରେ ୧୦ମି.ମି., କଟକରେ ୯ମି.ମି., ବାରିପଦାରେ ୭ମି.ମି., ପାରାଦୀପରେ ୬ମି.ମି., ଚନ୍ଦାବାଲିରେ ୪ମି.ମି. ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ମଧ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି।