ଆଜିଠୁ ୨ଦିନିଆ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର,୧୬।୧୨: କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ପକ୍ଷରୁ ୨ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଚଳିତ ମାସ ୧୬ ଏବଂ ୧୭ ତାରିଖରେ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଶାଖା ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ଅନ୍‌ଲାଇନ ବ୍ୟାଙ୍କିଙ୍ଗ୍‌ ସେବା ଓ ଏଟିଏମ୍‌ କେନ୍ଦ୍ରଗୁଡିକ ଖୋଲା ରହିବ ବୋଲି ୟୁଏଫ୍‌ବିୟୁ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ୟୁଏଫ୍‌ବିୟୁର ଓଡିଶା ଶାଖା ପକ୍ଷରୁ ବୁଧବାର ଏକ ଖବରଦାତା ସମ୍ମିଳନୀ କରାଯାଇ ବ୍ୟାଙ୍କ ଧର୍ମଘଟ ଓ ଘରୋଇକରଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି ଏହାର ରାଜ୍ୟ ଆବାହକ ରଘୁନାଥ ପ୍ରସାଦ ଦାସ କହିଛନ୍ତି, ଦେଶର ୧% ପୁଞ୍ଜିପତିଙ୍କ ସ୍ବାର୍ଥ ସାଧନ ପାଇଁ ୯୯% ଲୋକଙ୍କ ଅର୍ଥ କାରବାର ଓ ସେବାକୁ ସରକାର ବଳି ପକାଇଦେବାକୁ ବସିଛନ୍ତି। ସେହିଭଳି ଦେଶର ୭୨% ଋଣ ଅର୍ଥ ଅସାଧୁ ବ୍ୟବସାୟୀଙ୍କ ନିକଟରେ ରହିଥିବା ବେଳେ ମାତ୍ର ୨୮% ଋଣ ଅର୍ଥ ସାଧାରଣ ବର୍ଗର ଗ୍ରାହକଙ୍କ ପାଖରେ ପଡିରହିଛି। ସରକାର ପୁଞ୍ଜିପତିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଯେଉଁ ବ୍ୟାଙ୍କିଙ୍ଗ୍‌ ଆଇନ (ସଂଶୋଧନ) ବିଲ୍‌ ପାରିତ କରିବାକୁ ଯୋଜନା କରୁଛନ୍ତି। ସେସବୁ ଯୋଜନା ଦେଶର ସ୍ବାର୍ଥ ପାଇଁ ଆମେମାନେ ଏକତ୍ର ହୋଇ ନିଜ ନିଜ ଶାଖା ସମ୍ମୁଖରେ ହରତାଳ ସହ ବ୍ୟାଙ୍କ ଘରୋଇକରଣକୁ ବିରୋଧ କରିବାକୁ ରାଜ୍ୟର ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନଙ୍କୁ ଆହ୍ବାନ ଦିଆଯାଇଛି। ଏହି ୨ଦିନିଆ ଧର୍ମଘଟରେ ଓଡ଼ିଶାରୁ ପ୍ରାୟ ୬୦୦୦ ଶାଖା ଓ ୩୦ହଜାର ସବୁ ବର୍ଗର କର୍ମଚାରୀ ସହଯୋଗ ପ୍ରଦାନ କରିବେ ବୋଲି ୟୁଏଫ୍‌ବିୟୁ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ୟୁଏଫ୍‌ବିୟୁର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହାର ଉପଦେଷ୍ଟା ବରିଷ୍ଟ ବ୍ୟାଙ୍କର ଦାମୋଦର ନନ୍ଦ ରାଜ୍ୟର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି।