ପଶ୍ଚିମବଙ୍ଗରୁ ଓଡ଼ିଶା ଫେରୁଥିବା ବେଳେ ଭୟାବହ ଦୁର୍ଘଟଣା, ଚାଲିଗଲା ଦୁଇ ଭାଇଙ୍କ ଜୀବନ

​ଜଳେଶ୍ୱର,୨୬।୧୧(ନବୀନ ସାହୁ): ବାଲେଶ୍ବର ଜିଲା ଦାନ୍ତୁନ ଥାନା ଅନ୍ତର୍ଗତ ସୁନାକଣିଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗ ପଟୁ ଓଡ଼ିଶା ଅଭିମୁଖେ ଫେରୁଥିବା ବେଳେ ଦାନ୍ତୁନ ଥାନା ଅନ୍ତର୍ଗତ ସୁନାକଣିଆ ପେଟ୍ରୋଲ ପମ୍ପ ପାର୍ଶ୍ୱରେ ଏକ କାର ଭାରସାମ୍ୟ ହରାଇ ଦଶ ଫୁଟ୍ ତଳକୁ ଖସିଯାଇଥିଲା । ତେବେ ଦୁର୍ଘଟଣାରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଦ୍ୱୟ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ ନଶ୍ଚିମପୁର ପଞ୍ଚାୟତ ଅର୍ଜୁନୀ ଗ୍ରାମର ରାଜନ ଜେନା (୩୨) ଏବଂ ପଶ୍ଚିମବଙ୍ଗ ରାଜ୍ୟ ପଶ୍ଚିମ ମେଦିନୀପୁର ଜିଲା ଦାନ୍ତୁନ ଥାନା ଅନ୍ତର୍ଗତ ବାଇପାଟଣା ଗ୍ରାମର ସପନ ଜାନାଙ୍କ ଏକମାତ୍ର ପୁତ୍ର ସାୟନ ଜେନା (୨୦)।

​ସୂଚନା ଅନୁଯାୟୀ,ଗୁରୁବାର ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ଉଭୟ ଏକ କାର ଯୋଗେ ପଶ୍ଚିମବଙ୍ଗ ପଟୁ ଓଡ଼ିଶା ଆସୁଥିଲେ ।ସୁନାକଣିଆ ପେଟ୍ରୋଲ ପମ୍ପ ନିକଟରେ କାରଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରୁ ପ୍ରାୟ ୧୦ ଫୁଟ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲକୁ ଆଣିଥିଲେ ।ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ​ଅନ୍ୟପକ୍ଷରେ,ଦୁର୍ଘଟଣା ସମୟରେ ଉକ୍ତ କାରରେ ଆଉ ଦୁଇଜଣ ବ୍ୟକ୍ତି ଥିବା ଏବଂ ଦୁର୍ଘଟଣା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି । ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳ ଓ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣାର କାରଣ ଓ ଅନ୍ୟ ଯାତ୍ରୀଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।

ମୃତ୍ୟୁ ଖବର ପାଇ ଜଳେଶ୍ବର ନିର୍ବାଚନୀ ମଣ୍ଡଳୀର ବରିଷ୍ଠ ଭାଜପା ନେତା ବ୍ରଜମୋହନ ପ୍ରଧାନ, କାଳୀଚରଣ ଦାସ ସରପଞ୍ଚ ରାଜେଶ ଜେନା, ସମାଜ ସେବୀ ସୁଦାମ ପାତ୍ର, ସପନ ଜେନା, ମ୍ୟୁନିସିପାଲଟି ଅଧକ୍ଷ ପ୍ରତୀପ କୁମାର ପ୍ରଧାନଙ୍କ ସହ ଶତାଧିକ ନେତୃବୃନ୍ଦ ଜଳେଶ୍ୱର ହସ୍ପିଟାଲରେ ପହଞ୍ଚି ଶୋକ ପ୍ରକାଶ କରିଛନ୍ତି ।

 

Dharitri – Odisha’s No.1 Odia Daily

Share