ମା’ ସହ ଦୁଇ ଶିଶୁ ଜୀବନ୍ତ ଦଗ୍ଧ

ବାରିପଦା ଅଫିସ,୧୩ା୫: ମା’ କୋଳରେ ଶୋଇଥିଲେ ୨ ନିରୀହ ଶିଶୁ। ହେଲେ ସେହି ରାତି ହିଁ କାଳ ରାତି ସାଜିବ ସେକଥା କାହାକୁ ବା ଜଣା ଥିଲା। ଗୁରୁବାର ରାତିରେ ହଠାତ୍‌ ଘରେ ନିଆଁ ଲାଗିଥିବା ବେଳେ ମା’ ସହ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଦୁଇ କଅଁଳ ଶିଶୁ। ଏପରି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢିପାସାହିଠାରେ ଘଟିଛି। ମୃତକ ୩ ଜଣ ହେଲେ ମା’ ସୁରୁକୁନି ମାରାଣ୍ଡି (୨୪), ୬ବର୍ଷର ଝିଅ ସରିତା ମାରାଣ୍ଡି ଓ ୩ ମାସର ପୁଅ ଜଗଦୀଶ ମାରାଣ୍ଡି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ସୁରୁକୁନିଙ୍କ ସ୍ବାମୀ ମଙ୍ଗଲ ମାରାଣ୍ଡିଙ୍କୁ ଅଟକ ରଖିଛି।