ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଗଲା

କୋରୁକୋଣ୍ଡା,୨୪ା୩: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍‌ ତାରଲାକୋଟା ପଞ୍ଚାୟତର ସି-କଲୋନୀରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଯାଇଛି। ସେମାନେ ହେଲେ ସି-କଲୋନୀର ଧାନୁ ଗୋଲରୀଙ୍କ ଝିଅ ରଞ୍ଜିତା(୭) ଏବଂ ଗୋପୀ ଖରାଙ୍କ ପୁଅ ମେଘ(୮)।
ସୂଚନା ଅନୁଯାୟୀ, ପ୍ରବଳ ଗରମ ଯୋଗୁ ସାହି ପିଲାମାନେ ମିଶି ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଅନ୍ୟ ପିଲାଙ୍କ ସହ ଗାଧୋଇବା ସମୟରେ ରଞ୍ଜିତା ଏବଂ ମେଘ ପୋଖରୀର ଗଭୀର ପାଣିକୁ ଚାଲିଯାଇଥିଲେ। ବୁଡ଼ିଯାଉଥିବା ଦେଖି ଅନ୍ୟ ପିଲାମାନେ ଗାଁ ଲୋକଙ୍କୁ ଡାକିଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଓର୍‌କେଲ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।