ପାହାଡ଼ରୁ ଖସି ପଡ଼ିଲେ ୨ ଭାଇ

ରାୟଗଡ଼(ଗଜପତି),୫ା୯(ଡି.ଏନ.ଏ.): ଗଜପତି ଜିଲା ମାର୍ଲବା ଘାଟିରେ ରବିବାର ବାଇକ୍‌ ସହ ପାହାଡ଼ ତଳକୁ ଖସିପଡ଼ି ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରାୟଗଡ଼ ବ୍ଲକ ସ୍ବାଲସିଂ ସାହିର ସ୍ବର୍ଗତ ମନୋଜ କୁମାର ସ୍ବାଲସିଂଙ୍କ ପୁଅ ବିଲ୍‌ କ୍ଲିଣ୍ଟନ(୨୪) ଓ ପ୍ରିୟତମ (୧୮)। କ୍ଲିଣ୍ଟନ ଓ ପ୍ରିୟତମ ଏକ ବାଇକ୍‌ ଯୋଗେ କୌଣସି କାମରେ ଖଜୁରିପଦା ଯାଇଥିଲେ। ସେମାନେ କାମ ସାରି ଫେରୁଥିବା ବେଳେ ମାର୍ଲବା ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସି ପଡ଼ିଥିଲା। ଫଳରେ ଦୁଇ ଭାଇ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ରାୟଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସାନ ଭାଇ ପ୍ରିୟତମଙ୍କ ମୃତ୍ୟୁ ଘଟିଥିଲା। କ୍ଲିଣ୍ଟନଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ରାୟଗଡ଼ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ପୋଲିସ ଏକ ମାମଲା( ନଂ. ୭୭/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।