ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ ଅସାଧୁ ଉପାୟରେ ଅର୍ଥ ଉପାର୍ଜନ ପାଇଁ ନିଜ ଜୀବନକୁ ନଷ୍ଟ କରିଦେଉଛନ୍ତି। ହେଲେ କେତେଜଣ ଯୁବକ ଅଛନ୍ତି ଯେଉଁମାନେ ନିଜ କୌଳିକ ବୃତ୍ତି ଆପଣେଇ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଦେଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍ ଉପାନ୍ତ ଅଞ୍ଚଳ ଭାବରେ ପରିଚିତ ୧୯ଖଣ୍ଡ ମୌଜା ପିଥିଣ୍ଡା ଗ୍ରାମର ଦୁଇଭାଇ ଅନନ୍ତ ଦେହେରି ଓ ଅର୍ଜୁନ ଦେହେରି ନିଜ ଜମିରେ ପନିପରିବା ଚାଷକରି ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ପରିବାର ପ୍ରାୟ ୩ ଏକର ପରିତ୍ୟକ୍ତ ଜମିରେ ୨୦୧୬ ମସିହାରେ ୨୦ହଜାର ଟଙ୍କା ବ୍ୟୟରେ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଜଳନିଧି ଯୋଜନାରେ ଏକ ସୋଲାର ବୋର୍ଓ୍ବେଲ ସ୍ଥାପନ କରି ପରିବା ଚାଷ ଆରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଉନ୍ନତ କୃଷି ପାଇଁ ଝାରସୁଗୁଡ଼ା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସ୍ବଳ୍ପ ଜଳସେଚନକୁ ଦୃଷ୍ଟିରେ ରଖି ଏହି ଯୁବ କୃଷକଙ୍କୁ ବୁନ୍ଦା ଜଳସେଚନ ସୁବିଧା ପାଇଁ ସମସ୍ତ ଉପକରଣ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥା ପରେ ନିଶ୍ଚିତ ଭାବରେ କୃଷି କାର୍ଯ୍ୟରେ କମ୍ ଶ୍ରମିକ, କମ୍ ପାଣି ଯୋଗୁ ଦିନକୁ ଦିନ ଲାଭ ବୃଦ୍ଧି ପାଉଥିବାରୁ ଉତ୍ସାହିତ ଥିବା ଚାଷୀ ଦ୍ୱୟ କହିଛନ୍ତି। ଚଳିତ ରବି ଚାଷ ପାଇଁ ପ୍ରାୟ ୩ ଏକର ଜମିରେ କାକୁଡି ସହ ଅଧ ଏକର ଜମିରେ ଲାଉ ଚାଷ କରିଛନ୍ତି। ବୁନ୍ଦା ଜଳସେଚନ ସହିତ ମଲ୍ଚିଂ ବ୍ୟବସ୍ଥାରେ କରିଥିବା ଏହି ଚାଷରେ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କାର ପରିବା ବିକ୍ରି କରିସାରିଲେଣି ଏହି ଚାଷୀ ଦ୍ୱୟ। ସେମାନେ ନିଜେ ଆତ୍ମନିର୍ଭରଶୀଳ ହେବା ସାଙ୍ଗକୁ ପ୍ରତିଦିନ ୧୨ ଜଣ ମହିଳାଙ୍କ ସହ ୩ ଜଣ ପୁରୁଷ ଶ୍ରମିକଙ୍କୁ ରୋଜଗାର ପ୍ରଦାନ କରୁଛନ୍ତି। ଉତ୍ପାଦିତ ପରିବାକୁ ଭୁବନେଶ୍ୱର, କଟକ ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବ୍ୟବସାୟୀ ଆସି ଚାଷଜମିରୁ କିଣି ନେଉଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ୟାକିଂଗୃହ, ପିଆଜ ସଂରକ୍ଷଣ ଗୃହ ମିଳିଥିବାବେଳେ ମଲ୍ଚିଂ କିଣାରେ ଅହେତୁକ ଅର୍ଥ ବ୍ୟୟକୁ ଦୃଷ୍ଟିରେ ରଖି ସବ୍ସିଡିରେ ମଲ୍ଚିଂ ପ୍ରଦାନ କଲେ ଆହୁରି ଆୟ ବୃଦ୍ଧି ହେବ ବୋଲି ଚାଷୀ ଦ୍ୱୟ କହିଛନ୍ତି। ଉନ୍ନତ କୃଷି ପ୍ରଣାଳୀ ଆପଣେଇବା ସହିତ ସରକାରୀ ଯୋଜନାର ଲାଭ ନେବା ପାଇଁ ସେମାନେ ଯୁବପିଢ଼ିଙ୍କୁ ଆହ୍ବାନ ଦେଇଛନ୍ତି।
Dharitri – Odisha’s No.1 Odia Daily

