Categories: ଖେଳ

ଦୁଇ ଦଳରେ ଖେଳୁଛନ୍ତି ଦୁଇ ଭାଇ

ଦୋହା, ୨୬।୧୧(ଏପି):  ବିଶ୍ୱକପ୍‌ରେ ଗୋଟିଏ ପରିବାରର ଦୁଇଭାଇ ଦୁଇଟି ଦେଶରୁ ପ୍ରତିନିଧିତ୍ୱ କରୁଛନ୍ତି। ଓ୍ବିଲିୟମ୍ସ ଭ୍ରାତା ଦ୍ୱୟ ହେଉଛନ୍ତି ଇନାକି ଓ ନିକୋ। ଉଭୟଙ୍କ ଜନ୍ମ ହେଉଛି ସ୍ପେନ୍‌ରେ। ହେଲେ ସେମାନଙ୍କ ପିତାମାତା ହେଉଛନ୍ତି ଘାନା ଦେଶର। ନିକୋ ହେଉଛନ୍ତି ଯୁବ ସ୍ପେନ୍‌ ଦଳର ଅଂଶବିଶେଷ। ଏହି ଦଳ ବୁଧବାର ୭-୦ ଗୋଲ୍‌ରେ କୋଷ୍ଟାରିକାକୁ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ସ୍ପେନ୍‌ର ଏହା ରେକର୍ଡ ବିଜୟ ଥିଲା। ନିକୋ ଦ୍ୱିତୀୟାର୍ଦ୍ଧରେ ତାଙ୍କ ବିଶ୍ୱକପ୍‌ ପଦାର୍ପଣ ମ୍ୟାଚ ଖେଳିଥିଲେ। ଏହାର ଦିନକ ପରେ ବଡ଼ଭାଇ ଇନାକି ଘାନା ତରଫରୁ ତାଙ୍କର ପ୍ରଥମ ବିଶ୍ୱକପ୍‌ ମ୍ୟାଚ ଖେଳିଥିଲେ। କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ପର୍ତ୍ତୁଗାଲ ବିପକ୍ଷ ମ୍ୟାଚରେ ଘାନା ୨-୩ରେ ପରାଜିତ ହୋଇଥିଲା। ସ୍ପେନ୍‌ର ବିଜୟରେ ୨୦ ବର୍ଷୀୟ ନିକୋଙ୍କ ପରିବାର ପାଇଁ ଖୁସିର ମୁହୂର୍ତ୍ତ ଥିଲା। ଏହାର ଠିକ୍‌ ଗୋଟିଏ ଦିନ ବ୍ୟବଧାନରେ ଘାନାର ପରାଜୟ ପରେ ୨୮ବର୍ଷୀୟ ଇନାକିଙ୍କ ପାଇଁ ପରିବାରରେ ନୈରାଶ୍ୟ ଦେଖିବାକୁ ମିଳିଥିବ। ଓ୍ବିଲିୟମ୍ସ ପରିବାରର ଉଭୟ ଦେଶ ପ୍ରତି ସମ୍ମାନ ରହିଛି ବୋଲି ଘାନା କୋଚ୍‌ ଓଟୋ ଓଡୋ କହିଛନ୍ତି। ଇନାକି ବିଲ୍‌ବାଓରେ ଜନ୍ମଗ୍ରହଣ କରି ବାସ୍କ ଅଞ୍ଚଳରେ ଲାଳନପାଳନ ହୋଇଛନ୍ତି। ଇନାକି ହେଉଛନ୍ତି ନିକୋଙ୍କ ଭଳି ଜଣେ ଫରଓ୍ବାର୍ଡ। ଦୋହାସ୍ଥିତ ଷ୍ଟାଡିୟମ ୯୭୪ରେ ପର୍ତ୍ତୁଗାଲ ବିପକ୍ଷ ମ୍ୟାଚରେ ସେ ସମ୍ପୂର୍ଣ୍ଣ ଖେଳିଛନ୍ତି। ଦଳର ପରାଜୟ ପରେ ସେଣ୍ଟର ସର୍କଲରେ ମୁଣ୍ଡରେ ହାତ ଦେଇ ତାଙ୍କ ନୈରାଶ୍ୟଭାବ ପ୍ରକାଶ କରିଥିଲେ। କେତେକଙ୍କ କ୍ଷେତ୍ରରେ ବୁଝିବା କଷ୍ଟକର ହୋଇପାରେ, କିନ୍ତୁ ଦୁଇଦେଶ ପାଇଁ ସମାନ ଭଲପାଇବା ସମ୍ଭବ ହୋଇପାରେ। ଇନାକିଙ୍କ ସମ୍ପର୍କରେ ନିଜର ବକ୍ତବ୍ୟ ରଖି ଆଡୋ ଏକଥା କହିଛନ୍ତି। ଏଭଳି ପରିସ୍ଥିତି ଉପୁଜିବା ପଛରେ ଏକ କାହାଣୀ ରହିଛି। ଉନ୍ନତ ଜୀବନଯାପନ ଉଦ୍ଦେଶ୍ୟ ନେଇ ପ୍ରାୟ ୩୦ବର୍ଷ ପୂର୍ବେ ଘାନା ଛାଡ଼ି ଓ୍ବିଲିୟମ୍ସ ଦମ୍ପତି ୟୁରୋପ ପଳାଇଥିଲେ। ସେମାନଙ୍କ ଦୁଇ ପୁଅ ଦିନେ ବିଶ୍ୱକପ୍‌ ଖେଳିବେ ଏକଥା ଫେଲିକ୍ସ ଓ ମାରିଆ ଓ୍ବିଲିୟମ୍ସ ସ୍ବପ୍ନରେ ସୁଦ୍ଧା କେବେ ବି ଭାବି ନ ଥିଲେ। ଓ୍ବିଲିୟମ୍ସ ଦମ୍ପତି ୧୯୯୦ରେ ଖାଲିପାଦରେ ଚାଲି ଚାଲି ଏକ ମରୁଭୂମି ଅତିକ୍ରମ କରିବା ପରେ ବାଡ଼ ଡେଇଁ ସ୍ପେନ୍‌ରେ ପ୍ରବେଶ କରିଥିଲେ। ସେତେବେଳେ ଇନାକିଙ୍କୁ ନେଇ ମାରିଆ ଗର୍ଭବତୀ ଥିଲେ। ସେମାନେ ବିଲ୍‌ବୋରେ ଯାଇ ବାସ କରିଥିଲେ। ସେମାନଙ୍କର ଦୁଇ ପୁଅ ଫୁଟ୍‌ବଲ ଖେଳ ପ୍ରତି ଆଗ୍ରହ ରଖିଥିଲେ। ଦୁଇ ଭାଇ ଏବେ ସୁଦ୍ଧା ସେମାନଙ୍କ ହୋମ୍‌ ଟାଉନ୍‌ ଟିମ୍‌ ଆଥ୍‌ଲେଟିକ୍‌ ବିଲ୍‌ବୋ ପାଇଁ ଏକାଠି ଖେଳୁଛନ୍ତି। ଦୁଇଭାଇ ଦିନକ ବ୍ୟବଧାନରେ ଦୁଇଟି ଦେଶରୁ ପ୍ରତିନିଧିତ୍ୱ କରିବା ଏହା ପ୍ରଥମ ଦୃଷ୍ଟାନ୍ତ ନୁହେଁ। ଚଳିତବର୍ଷ ସେପ୍ଟେମ୍ବର ୨୩ରେ ଇନାକି ଘାନା ତରଫରୁ ବ୍ରାଜିଲ ବିପକ୍ଷରେ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ବେଳେ ଏହାର ଦିନ ପରେ ନିକୋ ସ୍ପେନ ଦଳରେ ପ୍ରଥମ ପଦାର୍ପଣ କରି ସୁଇଜରଲାଣ୍ଡ ବିପକ୍ଷ ମ୍ୟାଚ ଖେଳିଥିଲେ।

Share