ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଆନନ୍ଦପୁର ସୀମାନ୍ତ ମହୁଲଡିହା ଥାନା ଅନ୍ତର୍ଗତ ଘୁଳୁଘୁଳିଆ ଗାଁରେ ।

ସୂଚନା ଅନୁସାରେ ସୋମବାର ସକାଳ ପ୍ରାୟ ୭ ଟା ସମୟରେ ଘୁଳୁଘୁଳିଆ ଗାଁର ଦୁଇ ଭାଇ ଡୁମ୍ବି ହାଇବୃ ଏବଂ ବେହେରା ହାଇବୃ ନିଜ ଧାନ ବିଲକୁ ଘାସ ବାଛିବା ପାଇଁ ଯାଇଥିଲେ। ସେମାନେ ବିଲରେ କାମ କରୁଥିବା ବେଳେ ପାଖ ଜଙ୍ଗଲରୁ ହଠାତ୍ ଏକ ବଡ ଭାଲୁ ଆସି ଉଭୟଙ୍କ ଉପରେ ଆକ୍ରମଣ କରିଥିଲା। ଭାଲୁର ଆକ୍ରମଣରେ ଦୁଇ ଭାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ।

ସେମାନଙ୍କ ଚିତ୍କାର ଶୁଣି ଆଖପାଖ ବିଲରେ କାମ କରୁଥିବା ଲୋକ ଏବଂ ଗାଁ ଲୋକେ ଦୌଡି ଆସିଥିଲେ । ଗାଁ ଲୋକଙ୍କ ପାଟିତୁଣ୍ଡ ଶୁଣି ଭାଲୁଟି ସେମାନଙ୍କୁ ଛାଡି ପୁଣି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା।ପରେ ଗ୍ରାମବାସୀମାନେ ଗୁରୁତର ଆହତ ଦୁଇ ଭାଇଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଛି। ଦୁଇ ଜଣଙ୍କ ମୁଣ୍ଡ, ହାତ ଏବଂ ପିଠିରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି।

ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବାରମ୍ବାର ଜଙ୍ଗଲରୁ ଭାଲୁ ଗାଁ ମୁହାଁ ହେଉଥିବାରୁ ବନ ବିଭାଗକୁ ଖବର ଦିଆଯାଇଛି।

 

Dharitri – Odisha’s No.1 Odia Daily

Share