ସ୍କୁଲ୍‌ ଆଗରେ ଦୁଇ ବିଇଓ ହଟହଟା

ରେଢାଖୋଲ,୧୭।୧୦(ଡି.ଏନ.ଏ.)
ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲ ଆଗରେ ଶୁକ୍ରବାର ରେଢାଖୋଲ ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ଭଗବାନ ବାଙ୍କିରା ଓ ଜୁଜୁମୁରା ବ୍ଲକ ଶିକ୍ଷା ଅଧିକାରୀ ଜୟକୃଷ୍ଣ ପିଙ୍କ ହଟହଟା ହୋଇଛନ୍ତି। ଏହି ସ୍କୁଲର ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ମାମଲାର ତଦନ୍ତ ପାଇଁ ଉଭୟ ଅଧିକାରୀ ସ୍କୁଲ୍‌ ଆଗରେ ପହଞ୍ଚତ୍ଥିଲେ। ହେଲେ ଦୀର୍ଘ ୮ ବର୍ଷ ହେଲା ଏଠାରେ ପ୍ରଧାନ ଶିକ୍ଷକ ନିଯୁକ୍ତ କରାଯାଉ ନ ଥିବାରୁ ଏହି ଦୁଇ ଅଧିକାରୀଙ୍କୁ ଦେଖି ସ୍ଥାନୀୟ ଲୋକେ ତାତି ଉଠିଥିଲେ। ସେମାନେ ସ୍କୁଲ୍‌ ଗେଟ୍‌ରେ ତାଲା ପକାଇ ଦେଇ ଉଭୟ ଶିକ୍ଷା ଅଧିକାରୀଙ୍କୁ ଭିତରକୁ ଯିବାକୁ ଦେଇ ନ ଥିଲେ। ପ୍ରଥମେ ପ୍ରଧାନ ଶିକ୍ଷକ ନିଯୁକ୍ତ କରିବାକୁ ଅଡ଼ି ବସିଥିଲେ। ଫଳରେ ଉଭୟ ଶିକ୍ଷା ଅଧିକାରୀ ସେମାନଙ୍କୁ ବୁଝାଇବାରେ ବ୍ୟର୍ଥ ହୋଇ ଘଟଣାର ତଦନ୍ତ ନ କରି ଫେରି ଯିବାକୁ ବାଧ୍ୟ ହୋଇଥିଲେ। କୃଷ୍ଣଚନ୍ଦ୍ର ହୋତା, ପ୍ରଦୀପ ମହାକୁଡ, ସମିତିସଭ୍ୟ ଧର୍ମେନ୍ଦ୍ର କହଁର, ଭଗବାନ ମେହେର, ବୃଷକେତୁ ପ୍ରଧାନ, ପରମେଶ୍ୱର ପ୍ରଧାନ, ଜ୍ୟୋତିରଞ୍ଜନ ଗଡତିଆଙ୍କ ପ୍ରମୁଖ ସ୍ଥାନୀୟ ଲୋକେ ଦୁଇ ଅଧିକାରୀଙ୍କୁ ଅସନ୍ତୋଷ ଜଣାଇଥିଲେ। ସୂଚନାଯୋଗ୍ୟ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ ଏହି ସ୍କୁଲ ଚାଲିଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ବୀରେନ୍ଦ୍ର କୁମାର ସାହୁଙ୍କ ନାମରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ଅଭିଯୋଗ ଆସିବା ପରେ ସେ ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ନିଲମ୍ବିତ ହୋଇଛନ୍ତି। ଏହାପରେ ଶିକ୍ଷୟିତ୍ରୀ ମମତା ସାହୁଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆଯାଇଛି।