ନନ୍ଦପୁର,୨୩ା୧୧(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲାରେ ବର୍ତ୍ତମାନ ସକାଳୁ ଶୀତର ଲହରି ସାଙ୍ଗକୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଏହି ଘନ କୁହୁଡ଼ି ଯୋଗୁ ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟୁଛି। ସୋମବାର ମାଛକୁଣ୍ଡ ଥାନା ଅଧୀନ ଗୁନେଇପଡ଼ା ଗ୍ରାମ ନିକଟରେ କୁହୁଡ଼ି କାରଣରୁ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ବୈପାରୀଗୁଡ଼ା ବ୍ଲକ୍ କଟରାଗୁଡ଼ା ଗ୍ରାମର ପୀତାମ୍ବର ଖିଲ ବୋଲି ପରିଚୟ ମିଳିଛି। ମାଛକୁଣ୍ଡ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଓ ଆହତମାନଙ୍କୁ ଉଦ୍ଧାର କରି ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ସମସ୍ତ ଗୁରୁତରଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରବିବାର ରାତିରେ ରାୟପଡ଼ା ଗ୍ରାମରେ ଅନୁଷ୍ଠିତ ପୋଢମରା ଯାତ୍ରା ଦେଖିବାକୁ ମୃତକ ଓ ତାଙ୍କ ସହଯାତ୍ରୀମାନେ ଆସିଥିଲେ। ଯାତ୍ରା ସାରି ଫେରୁଥିବାବେଳେ ସେମାନେ ଏହି ଦୁର୍ଘଟଣାର ଶିକାର ହୋଇଥିବା ପୋଲିସ ସୂଚନା ଦେଇଛି। ଏନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ମାଛକୁଣ୍ଡ ଥାନା ଅଧିକାରୀ କୁଳମଣି ବୁରୁଦା ସୂଚନା ଦେଇଛନ୍ତି।