ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଭବାନୀପାଟଣା ସଦର ଅଞ୍ଚଳ ଆମଯୋର୍ ଗ୍ରାମର ମୁନା ବାଗ୍ (୨୩), ପିତା- ବେଣୁ ବାଗ୍।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୦୮:୧୫ ସମୟରେ ମୁନା ନିଜ ଏଚ୍ ଏଫ୍ ଡିଲକ୍ସ ବାଇକ୍ (ଓଡି-୦୮-ଭି-୦୯୫୪) ଯୋଗେ ଭବାନୀପାଟଣାରୁ ସିନ୍ଧିପଦର ଅଭିମୁଖେ ଏକ କାର୍ଯ୍ୟରେ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ
ହୋଣ୍ଡା ସାଇନ ବାଇକ୍ (ଓଡ଼ି-୦୮- ଏ-୪୮୦୯) ସହ ତାଙ୍କର ସାମ୍ନାସାମ୍ନି ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୁନାଙ୍କୁ ପ୍ରଥମେ କାନୀଗୁମା ‘ସ୍ୱାସ୍ଥ୍ୟ ସ୍ୱରାଜ’ କେନ୍ଦ୍ର ଓ ପରେ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ଅନ୍ୟ ବାଇକ୍ ଚାଳକ ଜଣକ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ଏହି ଘଟଣାରେ ମୃତକଙ୍କ ଭାଇ ରାହୁଲ ବାଗ୍ଙ୍କ ଲିଖିତ ଏତଲା ଆଧାରରେ ଥୁଆମୂଳ ରାମପୁର ଥାନାରେ କେସ୍ ନମ୍ବର ୯୭/୨୬ରେ ଏକ ମାମଲା ରୁଜୁ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।