ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଗୋଟିଏ ମୋଟର ସାଇକେଲର ତିନି ଆହତ ହୋଇଥିବା ବେଳେ ଅନ୍ୟ ମୋଟର ସାଇକେଲର ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ ପଟ୍ଟାଙ୍ଗି ଅଭିମୁଖେ ପୁକାଲି ପଞ୍ଚାୟତର ସାନଫାଟୁ ଗ୍ରାମର ସନ୍ତୋଷ ବୁରୁଡି, ବାବୁଲୁ ହନ୍ତାଳଙ୍କ ସହ ଅନ୍ୟ ଜଣେ ମୋଟର ସାଇକେଲ ନଂ OD୧୦U ୮୧୫୫ ଯୋଗେ ଯାଉଥିବା ବେଳେ ବିପରିତ ଦିଗ ତଥା ପଟ୍ଟାଙ୍ଗିରୁ ପୁକାଲି ପଞ୍ଚାୟତ ଅଭିମୁଖେ ଯାଉଥିବା ମୋଟର ସାଇକେଲ ନଂ OD୧୦Y ୪୩୧୨ମୋଟର ସାଇକେଲକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଉକ୍ତ ଦୁର୍ଘଟଣାରେ ସାନଫାଟୁ ଗ୍ରାମର ସନ୍ତୋଷ ବୁରୁଡିଙ୍କୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟ ଦୁଇ ସାମାନ୍ୟ ଆହାତ ହୋଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ସେହିପରି ସାନଫାଟୁ ଗ୍ରାମର ମୋଟର ସାଇକେଲକୁ ଧକ୍କା ଦେଇ ଥିବା ଅନ୍ୟ ମୋଟର ସାଇକେଲ ଟି ସମ୍ବାଇ ପଞ୍ଚାୟତର ଗୁଡିଆମ୍ବଗୁଡାର ବୁଦୁ ସାଗରଙ୍କୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଡାକ୍ତର ଘୋଷଣା କରିଛନ୍ତି । ତେବେ କିପରି ଦୁର୍ଘଟଣା ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ, କାରଣ ଅନ୍ୟ ଜଣ ବାଇକ ଆରୋହୀ ମଦ୍ୟପାନ କରିଥିବା ବେଳେ ସେ କିଛି କହିବା ଅବସ୍ଥାରେ ନାହାନ୍ତି ।
ସେପଟେ ଦୁର୍ଘଟଣା ସମ୍ପର୍କରେ ପଟ୍ଟାଙ୍ଗି ପୋଲିସ ଖବର ପାଇ ଘଟଣାସ୍ଥଳେ ପହଞ୍ଚି ଦୁଇ ଦୁର୍ଘଟଣା ଗ୍ରସ୍ତ ମୋଟର ସାଇକେଲ ଜବତ କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ଦୁର୍ଘଟଣା ସମ୍ପର୍କରେ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି । ସେପଟେ ଉକ୍ତ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବୁଡିଆମ୍ବଗୁଡା ଗ୍ରାମର ଲୋକମାନେ ପଟ୍ଟାଙ୍ଗି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ଦେବା ପରେ ପରିଚୟ ସାମ୍ନାକୁ ଆସିଛି । ଦୁର୍ଘଟଣାରେ ବାପର ମୃତ୍ୟୁ ହୋଇଥିବା ବେଳେ ପୁଅ ଅଳ୍ପକେ ବର୍ତ୍ତି ଯାଇଛି । ବିଳମ୍ବିତ ସମୟ ହୋଇ ଯାଇଥିବାରୁ ମୃତ ବାପଙ୍କ ଶବ ବ୍ୟବଚ୍ଛେଦ ହୋଇ ପାରି ନଥିବା ବେଳେ ଶୁକ୍ରବାର ପୋଲିସ୍ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବ ବୋଲି ଜଣାପଡ଼ିଛି ।


