କୁଆଖାଇ, କୁଶଭଦ୍ରାରେ ନିର୍ମାଣ ହେବ ୨ ବ୍ୟାରେଜ

ବାଲିଅନ୍ତା,୧୦ା୭(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଲିଅନ୍ତାସ୍ଥିତ କୁଶଭଦ୍ରା ଓ ପାଣ୍ଡରାସ୍ଥିତ କୁଆଖାଇ ନଦୀରେ ଖୁବଶୀଘ୍ର ୨ଟି ବ୍ୟାରେଜ ନିର୍ମାଣ ହେବ। ବହୁ ପ୍ରତୀକ୍ଷିତ ଏହି ବ୍ୟାରେଜ ନିର୍ମାଣରେ ପାଖାପାଖି ୭୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗୀୟ ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ୱର ବାସିନ୍ଦାଙ୍କୁ ପିଇବା ପାଣି ସୁବିଧା ଓ ଭୂତଳ ଜଳ ସଂରକ୍ଷଣ ଏବଂ ଚାଷୀଙ୍କ ଜମି ଜଳସେଚିତ ହୋଇପାରିବ। ଏ ନେଇ ଶୁକ୍ରବାର ବାଲିଅନ୍ତା ବ୍ଲକ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସ ମାଧ୍ୟମରେ ୫ଟି-ସଚିବ ଭି.କେ. ପାଣ୍ଡିଆନ ସହିତ ବିଭାଗୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଏଥିରେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି, ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ ଲୋକ ପ୍ରତିନିଧି, ଚାଷୀ ଯୋଗଦେଇଥିଲେ। କୁଶଭଦ୍ରା ନଦୀର ବାଲିଅନ୍ତା ଓ ପାଣ୍ଡରା ଗ୍ରାମ ନିକଟ କୁଆଖାଇ ନଦୀର ବ୍ୟାରେଜ ନିର୍ମାଣ ହେଲେ ଜଳ ସଂରକ୍ଷଣ ଓ ଚାଷୀର ଜମିକୁ ଜଳଯୋଗାଣ ହୋଇପାରିବ ବୋଲି ଉପସ୍ଥିତ ଚାଷୀ ଓ ଲୋକ ପ୍ରତିନିଧିମାନେ ୫-ଟି ସଚିବ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରସ୍ତାବିତ ବୃହତ ପ୍ରକଳ୍ପକୁ ତୁରନ୍ତ ଅନୁମୋଦନ ସହିତ ମଞ୍ଜୁର ପାଇଁ ବହୁ ସରପଞ୍ଚ, ଜିଲା ପରିଷଦମାନେ ପାଣ୍ଡିଆନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପ୍ରକାଶ ଯେ, ଏହି ବ୍ୟାରେଜ ନିର୍ମାଣ ପାଇଁ ପ୍ରାଚୀ ଡିଭିଜନରେ ବାଲିଅନ୍ତା ଜଳସେଚନ ଉପଖଣ୍ଡ ମାଧ୍ୟମରେ ଗତବର୍ଷ ସର୍ଭେ କରାଯାଇଥିଲା। ଏହାର ପିଡିପିଆର ପ୍ରସ୍ତୁତ କରାଯାଇ ଡିଜାଇନ ପାଇଁ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ପାଖକୁ ପଠାଯାଇଛି। ବ୍ୟାରେଜ ଡିଜାଇନ କାର୍ଯ୍ୟ ଶେଷ ହେବା ପରେ ଟେଣ୍ଡର ପାଇଁ ପଠାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।