ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ ମାଝୀ ବୋଲି ଜଣାପଡିଛି । ବଳି ମାଝୀ ଏଥି ପୂର୍ବରୁ ନକ୍ସଲ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ମାଓବାଦୀ ପୋଷ୍ଟର ଲଗାଇ ଆତଙ୍କ ଖେଳାଇବା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି ।
ଗତ ଦୁଇ ଦିନ ତଳେ ଜିଲାର ତିନୋଟି ସ୍ଥାନରେ ନକଲି ମାଓବାଦୀ ପୋଷ୍ଟର ଲଗାଯାଇଥିଲା। ଗିରଫ ପରେ ଉଭୟଙ୍କୁ ଡାକ୍ତରୀ ମାଇନା କରାଯାଇଛି । ଗିରଫ ନେଇ ଏସଡିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି । ତେବେ ଏମାନେ ପ୍ରକୃତରେ ଦୋଷୀ ନା ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ।
କହିରଖୁଛୁ କି, ଗତ ୧୩ ତାରିଖରେ ରାୟଗଡା ବ୍ଲକ ବାଇସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ଘୁମାଗୁଡା ବସଷ୍ଟପ ନିକଟରେ ମାଓବାଦୀ ପୋଷ୍ଟର ଲଗାଯାଇଥିଲା । ଏହି ପୋଷ୍ଟରଟି ସସିପିଆଇ ମାଓବାଦୀ ପକ୍ଷରୁ ଲେଖାଯାଇଥିବା ନେଇ କୁହାଯାଇଥିଲା । ସବ୍ୟସାଚୀ ପଣ୍ଡା, ଆଜାଦ, ଉଦୟ ଓ ନିଖିଲ ଏମାନେ କେବେ ଆଦିବାସୀ ନଥିଲେ । ଆଦିବାସୀଙ୍କୁ ନକ୍ସଲରେ ରଖି ଅତ୍ୟାଚାର କରୁଥିଲେ । ଏହାକୁ ଜବାବ ଦେବାକୁ ରାଜ୍ୟ ସମ୍ପାଦକ ମେଘଜାନୀଓ ଡମ୍ବାଇ ମାଝୀ ଓ ମାଓ ସଂଗଠନ ପ୍ରସ୍ତୁତ ଅଛି ବୋଲି ଲେଖାଯିବା ସହିତ ଲାଲ ସଲାମ ଲେଖାଯାଇଥିଲା । ଆଦିତ୍ୟ ବିର୍ଲା କମ୍ପାନୀ କେବିକେ ଅଞ୍ଚଳର ଲୋକଙ୍କୁ ଶୋଷଣ କରୁଥିଲେ ମଧ୍ୟ ସରକାର ନୀରବ ରହୁଛନ୍ତି। ତେଣୁ କମ୍ପାନୀକୁ ବିରୋଧ କରୁଥିବା ନେଇ ମଧ୍ୟ ଉଲ୍ଲେଖ କରାଯାଇଥିଲା ।

