ପାଟଣା,୨୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ତଣ୍ଡ ବିଟ୍ରେ ବାରହା ଶିକାର ଘଟଣାରେ ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ବାରହାର ମୁଣ୍ଡ ଓ ୨ଟି ଗୋଡ଼ ସହ ଶିକାରରେ ବ୍ୟବହୃତ ବୋମା ତିଆରି ସାମଗ୍ରୀ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଏକ ମଞ୍ଚାରେ ସୋମବାର ବିଳମ୍ବିତ ରାତିରେ ବନ ବିଭାଗ ଚଢ଼ାଉ କରିଥିଲା। ଏହି ସମୟରେ ପଲାଣଘାଟି ଗ୍ରାମର ରଣଜିତ ମୁଣ୍ଡା ଓ ବଣମହୁଲଡିହା ଗ୍ରାମର କହ୍ନେଇ ନାଏକଙ୍କୁ ଧରାଯାଇଥିଲା।
ଅଭିଯୋଗ ଅନୁଯାୟୀ, ଉଭୟ ସୋମବାର ସନ୍ଧ୍ୟାରେ ଅଟେଇ ସଂରକ୍ଷିତ ଜଙ୍ଗଲନିକଟ ବିଲରେ ବୋମା ଖଞ୍ଜି ବାରହା ଶିକାର କରିଥିଲେ। ବାରହା ମାଂସକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଏକ ପୋଖରୀ ନିକଟରେ ପୋତି ଲୁଚାଇ ରଖିଥିବା ଜଣାପଡ଼ିଛି।
ଗିରଫ ଦୁଇ ଅଭିଯୁକ୍ତ ଅଭ୍ୟାସଗତ ଶିକାରୀ ବୋଲି ବନ ବିଭାଗ ସନ୍ଦେହ କରୁଛି। ଚଳିତ ଋତୁରେ ସେମାନେ ଏକାଧିକ ବାର ବୋମା ବ୍ୟବହାର କରି ବାରହା ଶିକାର କରିଥିବା ସମ୍ପର୍କରେ ବିଭାଗ ତଦନ୍ତ ଚଳାଇଛି। ଏହି ଘଟଣାରେ ଅନ୍ୟ ଶିକାରୀଙ୍କ ସମ୍ପୃକ୍ତି ଏବଂ ଗତ ଅକ୍ଟୋବର ୭ ତାରିଖରେ ଘଟିଥିବା ବାରହା ଶିକାର ଘଟଣାର ମଧ୍ୟ ତଦନ୍ତ କରାଯାଉଛି।
ଏହି ଚଢ଼ାଉରେ ପାଟଣା ବନପାଳ ନିରଞ୍ଜନ ସେଠୀ, ତଣ୍ଡ ବିଟ୍ର ବନରକ୍ଷୀ ରଞ୍ଜିତା ମହାନ୍ତ, ମଲ୍ଲିପଶି ବିଟ୍ର ବନରକ୍ଷୀ ଲକ୍ଷ୍ମୀକାନ୍ତ ରାଉତଙ୍କ ସମେତ ପାଟଣା ବନାଞ୍ଚଳର କର୍ମଚାରୀ ଓ ପାରା ଷ୍ଟାଫ୍ ସାମିଲ ହୋଇଥିଲେ।