ରକ୍ତ ଦେଇ ଶିଶୁପୁତ୍ରର ଜୀବନ ବଞ୍ଚାଇଲେ ଦୁଇ ଆମ୍ବୁଲାନ୍ସ କର୍ମଚାରୀ

ରେଢାଖୋଲ,୩୧।୭(ଡି.ଏନ.ଏ.)-ସମ୍ବଲପୁର ଜିଲା ଚାରମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ୨ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶୁକ୍ରବାର ରେଢାଖୋଲ ଡାକ୍ତରଖାନାରେ ରକ୍ତ ଦେଇ ଜଣେ ୫ ବର୍ଷ ଶିଶୁପୁତ୍ରର ଜୀବନ ବଞ୍ଚାଛନ୍ତି। ରେଢାଖୋଲ ବ୍ଲକ୍‌ ରେଙ୍ଗାଲି ପଞ୍ଚାୟତ କସଣ୍ଡା ଗ୍ରାମର ନିରଞ୍ଜନ ମିର୍ଦ୍ଧାଙ୍କ ଶିଶୁପୁତ୍ର ଅନୁଭବ ଆନିମିଆ ରୋଗରେ ପୀଡିତ। ଶୁକ୍ରବାର ସେ ଗୁରୁତର ହୋଇଥିଲେ। ଘର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଚାରମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ଗ୍ରାହକ ସମ୍ପର୍କ କେନ୍ଦ୍ରରୁ ନିର୍ଦ୍ଦେଶ ପାଇ କସଣ୍ଡାରେ ପହଞ୍ଚିଥିଲେ। ଏହାପରେ ମା’ ବାପା ଶିଶୁପତ୍ରକୁ ଆମ୍ବୁଲାନ୍ସରେ ଧରି ରେଢାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ତେବେ ଶିଶୁପୁତ୍ର ଲାଗି ରକ୍ତ ଆବଶ୍ୟକ ଥିବା ଡାକ୍ତର କହିବା ପରେ ମା’ ବାପା ଚିନ୍ତାରେ ପଡ଼ିଥିଲେ। ସ୍ଥାନୀୟ ରକ୍ତଭଣ୍ଡାରକୁ ଯାଇ ଯୋଗାଯୋଗ କରିଥିଲେ। ହେଲେ ରକ୍ତ ନ ଥିବା ଯୋଗୁ ଭାଙ୍ଗି ପଡ଼ିଥିଲେ। ଏହା ଜାଣିଲା ପରେ ଅମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ ନିଯୁକ୍ତ ସୌମ୍ୟରଞ୍ଜନ ଶତପଥୀ ଓ ତାଙ୍କ ସହଯୋଗୀ ଅନିଲ ପ୍ରଧାନ ଶିଶୁପୁତ୍ର ଲାଗି ରକ୍ତଦାନ କରିଥିଲେ। ଏଥିରୁ ଗୋଟିଏ ପ୍ୟାକେଟ୍‌ ରକ୍ତ ଶିଶୁପୁତ୍ରକୁ ଦିଆଯାଇଥିଲା। ଆଉ ଏକ ରକ୍ତ ପ୍ୟାକେଟ୍‌ ଅନ୍ୟ ଜଣେ ରକ୍ତଶିକୁଳି ରୋଗୀ ଯୁବକଙ୍କୁ ଦିଆଯାଇଥିଲା। ଆମ୍ବୁଲାନ୍ସ କର୍ମଚାରୀ ଏଭଳି ମାନବିକତା ପ୍ରଦର୍ଶନ କରି ଏଠାରେ ପ୍ରଶଂସାର ପାତ୍ର ହୋଇଛନ୍ତି।