ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ ଭାଇ ଆଶିଷ ଶର୍ମା ଭଉଣୀଙ୍କ ଚିତାରେ ମୁଖାଗ୍ନି ଦେଇଛନ୍ତି। ଏହା ପୂର୍ବରୁ ଆଜି ଜାତୀୟ ରାଜଧାନୀ ଦିଲ୍ଲୀ ଏମ୍ସ (AIIMS)ର ଚାରି ଜଣିଆ ବରିଷ୍ଠ ଡାକ୍ତରୀ ଦଳଙ୍କ ଦ୍ୱାରା ଟ୍ବିଶାଙ୍କ ମୃତଦେହର ଦ୍ୱିତୀୟ ପୋଷ୍ଟମର୍ଟମ କରାଯାଇଥିଲା।
ଶ୍ମଶାନ ଘାଟରେ ଝିଅର ଅନ୍ତିମ ସଂସ୍କାର ସମୟରେ ଟ୍ବିଶାଙ୍କ ବାପା ନବନିଧି ଶର୍ମା ଏବଂ ମା’ ରେଖା ଶର୍ମା ନିଜକୁ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ସେଠାରେ ଉପସ୍ଥିତ ଥିବା ପରିବାରର ଅନ୍ୟ ସଦସ୍ୟ ଓ ସମ୍ପର୍କୀୟମାନେ ମଧ୍ୟ ଅଶ୍ରୁଳ ନୟନରେ ଟ୍ବିଶାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୃତ୍ୟୁର ୧୩ ଦିନ ପରେ ଆଜି ତାଙ୍କର ସଂସ୍କାର କରାଯାଇଛି।
ଗତ ମେ ୧୨ ତାରିଖରେ ଭୋପାଳର କଟାରା ହିଲ୍ସ ଅଞ୍ଚଳରେ ଥିବା ଶଶୁର ଘରୁ ଟ୍ବିଶାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଟ୍ବିଶାଙ୍କ ପରିବାର ଲୋକେ ଶ୍ୱଶୁର ଘର ବିରୋଧରେ ଯୌତୁକ ନିର୍ଯ୍ୟାତନା ଏବଂ ଆତ୍ମହତ୍ୟା ପାଇଁ ଉସୁକାଇବା ଭଳି ସଙ୍ଗିନ ଆରୋପ ଆଣିଛନ୍ତି। ଅପରପକ୍ଷେ ଶ୍ୱଶୁର ଘର ଲୋକେ ଏହି ଆରୋପକୁ ପ୍ରତ୍ୟାଖ୍ୟାନ କରି ଦାବି କରିଛନ୍ତି ଯେ ଟ୍ବିଶାଙ୍କର ନିଶା ସେବନ କରିବାର ଅଭ୍ୟାସ ଥିଲା। ଏହି ମାମଲାରେ ଟ୍ବିଶାଙ୍କ ସ୍ବାମୀ ସମର୍ଥ ସିଂହଙ୍କୁ ପୋଲିସ ଗିରଫ କରି ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି।