ଭୋପାଳ,୨୦।୫: ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ମଡେଲ୍ ତଥା ଅଭିନେତ୍ରୀ ଟ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୀଡ଼ିତ ପରିବାରକୁ ଏକ ବଡ଼ ଝଟ୍କା ଲାଗିଛି। ମୃତଦେହର ଦ୍ୱିତୀୟ ଥର ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) କରାଯିବା ପାଇଁ ପରିବାର ପକ୍ଷରୁ କରାଯାଇଥିବା ଆବେଦନକୁ ଜିଲା ଅଦାଲତ ଖାରଜ କରିଦେଇଛନ୍ତି। ତେବେ କୋର୍ଟ ପୋଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ମଧ୍ୟପ୍ରଦେଶରେ ଯେଉଁ ସ୍ଥାନରେ ମାଇନସ ୮୦ ଡିଗ୍ରୀ (-୮୦ଂC) ତାପମାତ୍ରାରେ ତ୍ୱିଶାଙ୍କ ପାର୍ଥିବ ଶରୀରକୁ ସୁରକ୍ଷିତ ରଖାଯାଇପାରିବ, ସେହିଭଳି ସୁବିଧା ଥିବା ସ୍ଥାନ ବିଷୟରେ ତୁରନ୍ତ ସୂଚନା ପ୍ରଦାନ କରିବାକୁ କୋର୍ଟ କହିଛନ୍ତି।
ପରିବାର ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଅଙ୍କୁର ପାଣ୍ଡେ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS)ରେ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ପରିବାର ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ ଏହା କୋର୍ଟଙ୍କ ସେକ୍ଟ୍ରାଧିକାର (Jurisdiction) ବାହାରେ ବୋଲି ଦର୍ଶାଇ ଅଦାଲତ ଏହି ଆବେଦନକୁ ମଧ୍ୟ ଖାରଜ କରିଛନ୍ତି। ପରିବାର ଲୋକେ ଆଶା ରଖିଥିଲେ ଯେ କୌଣସି ଏକ ସ୍ବତନ୍ତ୍ର ଏବଂ ବିଶେଷଜ୍ଞ ସଂସ୍ଥା ଦ୍ୱାରା ଦ୍ୱିତୀୟ ଥର ପୋଷ୍ଟମର୍ଟମ କରାଗଲେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିପାରିବ।
ପୁନର୍ବାର ପୋଷ୍ଟମର୍ଟମ ଆବେଦନକୁ ଖାରଜ କରିଥିଲେ ହେଁ, ଅଦାଲତ ମୃତଦେହକୁ ସୁରକ୍ଷିତ ରଖିବା ପାଇଁ ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଆଗାମୀ ଦିନରେ ଯଦି କୌଣସି ବୈଜ୍ଞାନିକ ପରୀକ୍ଷଣର ଆବଶ୍ୟକତା ପଡ଼େ, ତେବେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବନାହିଁ।
କହିରଖୁଛୁ, ଭୋପାଳସ୍ଥିତ ଏକ୍ସରେ ହୋଇଥିବା ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଟ୍ବିଶାଙ୍କ ପରିବାର ପ୍ରଥମ ଦିନରୁ ହିଁ ପ୍ରଶ୍ନ ଉଠାଇ ଆସୁଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ପରିବାର ଲୋକେ ନିରାଶ ହୋଇଥିଲେ ମଧ୍ୟ, ମୃତଦେହକୁ ସଂରକ୍ଷିତ ରଖିବା ନିର୍ଦ୍ଦେଶ ଯୋଗୁ ଭବିଷ୍ୟତରେ ନ୍ୟାୟ ପାଇଁ ଅନ୍ୟ ବିକଳ୍ପ ଖୋଲା ରହିଛି। ବର୍ତ୍ତମାନ ଏହି ସନ୍ଦେହଜନକ ମୃତ୍ୟୁ ମାମଲା ଉପରେ ସମଗ୍ର ମଧ୍ୟପ୍ରଦେଶର ନଜର ରହିଛି।
Dharitri – Odisha’s No.1 Odia Daily