ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ବିପୁଲ ଏମ୍. ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୋମବାର ଉକ୍ତ ମାମଲାର ଶୁଣାଣି ହେବ। ନଏଡ଼ାର ଟ୍ବିଶା ଗତବର୍ଷ ଡିସେମ୍ବରରେ ବିବାହ କରିଥିବାବେଳେ ଗତ ୧୨ ତାରିଖରେ ତାଙ୍କର ଶାଶୁଘରେ ମୃତ୍ୟୁ ଘଟିଥିଲା। ଯୌତୁକ ନିର୍ଯାତନା ଦିଆଯିବା ସହ ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଥିବା ବାପଘର ଲୋକେ ଅଭିଯୋଗ ଆଣିଥିଲେ। ଶାଶୁଘର ଲୋକେ ତଦନ୍ତକୁ ବିଭ୍ରାନ୍ତ କରିବା ସହ ମାମଲାରେ ପ୍ରଭାବ ପକାଉଥିବା ଅଭିଯୋଗ ହୋଇଥିଲା। ସ୍ବାମୀ ସମର୍ଥ ସିଂ ଜଣେ ଆଇନଜୀବୀ ହୋଇଥିବାବେଳେ ତାଙ୍କ ମା’ ଗିରିବାଳା ସିଂ ଜଣେ ଅବସରପ୍ରାପ୍ତ ବିଚାରପତି। ଶାଶୁଘରେ ବୋହୂଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣାରେ ଆନୁଷ୍ଠାନିକ ପକ୍ଷପାତିତା ଏବଂ ପଦ୍ଧତିଗତ ତ୍ରୁଟି ଅଭିଯୋଗ ଆଧାରରେ ସର୍ବୋଚ୍ଚ ଅଦାଲତ ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି।