Categories: ଗଞ୍ଜାମ

୨୫ରୁ ୨୩ ପିଲା ବିଦ୍ୟାଳୟ ଦେଖିନାହାନ୍ତି

ଭଞ୍ଜନଗର,୯।୫(ଡି.ଏନ.ଏ): ଭଞ୍ଜନଗର ବ୍ଲକ ଡ଼ୁମାକୁମ୍ପା ପଞ୍ଚାୟତ ଡିିହକୁମ୍ପାପଲ୍ଲୀ ଏକ ପଛୁଆ ଅଞ୍ଚଳ ଭାବେ ରହିଯାଇଛି । ଉକ୍ତ ଗ୍ରାମରେ ପ୍ରାୟ ୨୦ଟି ପରିବାର ବସବାସ କରୁଛନ୍ତି । ହେଲେ ଗ୍ରାମକୁ ଗମନାଗମନ ସୁବିଧା ନାହିଁ । ଛୋଟ ଗ୍ରାମ ହୋଇଥିବା ଯୋଗୁ ବିଦ୍ୟାଳୟ ଖୋଲିନାହିଁ । ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଛି । କିନ୍ତୁ ତାହା ମଧ୍ୟ ଠିକ୍‌ ଭାବେ ଖୋଲୁନାହିଁ। ଅନ୍ୟପକ୍ଷରେ ସଚେତନତା ଅଭାବ ଯୋଗୁ ଗ୍ରାମର ଶିଶୁମାନେ ନିକଟସ୍ଥ ହାତୀଗୁଡ଼ା ଗ୍ରାମକୁ ଯାଇ ପାଠ ପଢ଼ିବାକୁ ରାଜି ନୁହଁନ୍ତି। ଅଭିଭାବକମାନେ ମଧ୍ୟ ଶିଶୁମାନଙ୍କର ପାଠପଢ଼ା ପ୍ରତି ସେଭଳି ଧ୍ୟାନ ଦିଅନ୍ତି ନାହିଁ। ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ । ତେଣୁ ଗ୍ରାମର ୨୫ ପିଲାଙ୍କ ମଧ୍ୟରୁ ମାତ୍ର ୨ଜଣ ଶିଶୁ ହାତୀଗୁଡ଼ା ବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ଅନ୍ୟ ୨୩ ଶିଶୁ ପାଠ ପଢ଼ୁନାହାନ୍ତି। ଉକ୍ତ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ଆଣିବା ପାଇଁ ଚେଷ୍ଟା କରାଗଲେ ସେମାନଙ୍କ ଭବିଷ୍ୟତ ଉଜ୍ଜଳମୟ ହୋଇପାରିବ ।
ଡ଼ିହକୁମ୍ପାପଲ୍ଲୀ ଠାରୁ ହାତୀଗୁଡ଼ା ଗ୍ରାମ ପ୍ରାୟ ୮ଶହ ମିଟର ଦୂର ହେବ। ବାଟରେ ଗୋଟିଏ ନାଳ ଅଛି । ସମ୍ପୃକ୍ତ ଗ୍ରାମର ଲୋକମାନେ ବାଉଁଶରୁ ତିିଆରି କୁଲା, ଚାଙ୍ଗୁଡ଼ି ଆଦି ତିଆରି କରି ତାକୁ ବିକ୍ରି କରି ପରିବାର ଚଳାଉଛନ୍ତି। ଅଭିଭାବକଙ୍କ ମର୍ଧ୍ୟରେ ସଚେତନତା ଅଭାବରୁ ଏହି ସମସ୍ୟା ଉପୁଜିଛି ।
ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି କିନ୍ତୁ ଡ଼ିହକୁମ୍ପାପଲ୍ଲୀରେ ସରକାରଙ୍କ ଯୋଜନା ପହଞ୍ଚି ପାରିନାହିଁ। ଏହିଭଳି ପରିସ୍ଥିତିରେ ବିପଦର ବନ୍ଧୁ ଭଞ୍ଜନଗର ଶାଖା ପକ୍ଷରୁ ପ୍ରାୟ ଏକ ମାସ ହେବ ଡ଼ିହକୁମ୍ପାପଲ୍ଲୀ ଗ୍ରାମରେ ମୁଁ ବି ପାଠ ପଢ଼ିବି କାର୍ଯ୍ୟକ୍ରମ ଚଳାଇଛି । ଭଞ୍ଜନଗର ବ୍ଲକର ଯେଉଁ ଅଞ୍ଚଳରେ ଶିକ୍ଷା ସୁବିଧା ନାହିଁ ସେଠାରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ପହଞ୍ଚି ଛାତ୍ରୀଛାତ୍ରମାନଙ୍କ କିଭଳି ବିକାଶ ହୋଇପାରିବ ସେଥିପାଇଁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଡ଼ିହକୁମ୍ପାପଲ୍ଲୀ ଗ୍ରାମରେ ଶିକ୍ଷା ବ୍ୟବସ୍ଥା ଠିକ୍‌ ନଥିବା ଯୋଗୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ସେଠାରେ ରବିବାର ପହଞ୍ଚି ଗ୍ରାମର ଶିଶୁମାନଙ୍କୁ ବିଭିନ୍ନ ଶିକ୍ଷା ଉପକରଣ ବଣ୍ଟନ କରିବା ସହ ନାଚଗୀତରେ ସେମାନଙ୍କ ସହ କିଛି ସମୟ ବିତାଇଥିଲେ। ବିଦ୍ୟାଳୟରେ ନାମ ନ ଲେଖାଇଥିବା ଶିଶୁମାନେ ଆଗାମୀ ଦିନରେ କିଭଳି ବିଦ୍ୟାଳୟରେ ନାମ ଲେଖାଇବେ ସେଥିପାଇଁ ପାଖ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ବିପଦର ବନ୍ଧୁ କର୍ମକର୍ତାମାନେ ଆଲୋଚନା କରିଛନ୍ତି। ଗ୍ରାମରେ ଗୋଟିଏ ଟିଣ ଘର କରି ସେଠାରେ ଶିଶୁମାନଙ୍କୁ ପଢ଼ାଯିବା ବ୍ୟବସ୍ଥା କରାଯିବ । ଏଥିସହ ଆଜକୁ ଏକମାସ ହେବ ହାତୀଗୁଡ଼ାର କାର୍ତିକ ସ୍ବାଇଁ ଗ୍ରାମର ଶିଶୁମାନଙ୍କୁ ପାଠ ପଢ଼ାଉଛନ୍ତି । କାର୍ତକ ଦୌନନ୍ଦିନ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଉକ୍ତ ଗ୍ରାମକୁ ଯାଇ ପାଠ ପଢ଼ାଉଛନ୍ତି। ଏବାବଦରେ ଅନୁଷ୍ଠାନ ପକ୍ଷରୁ ତାଙ୍କୁ କିଛି ପାରିଶ୍ରମିକ ପ୍ରଦାନ କରାଯାଉଛି । ଏନେଇ କାର୍ତିକଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତିଯେ ବିଭିନ୍ନ କାରଣ ଯୋଗୁ ଅନେକ ଶିଶୁ ବିଦ୍ୟାଳୟରେ ନାମ ଲେଖାଇ ନାହାନ୍ତି । ଆଗାମୀ ଦିନରେ ସେମାନେ ବିଦ୍ୟାଳୟରେ କିଭଳି ନାମ ଲେଖାଇବେ ସେନେଇ ପଦକ୍ଷେପ ନିଆଯାଇଛି । ଅପରପକ୍ଷେ ଏନେଇ ସମ୍ପୃକ୍ତ ଅଚଂଳର ଜଣେ ଶିକ୍ଷକଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଛାତ୍ରୀଛାତ୍ରମାନେ ନାମ ନଲେଖାଇବା ଖବର ଆମ ପାଖରେ ନାହିଁ । ଏହିଭଳି ଯଦି ହୋଇଥାଏ ତେବେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ନାମ ତୁରନ୍ତ କିଭଳି ଲେଖାଯିବ ସେନେଇ ପଦକ୍ଷେପ ନିଆଯିବ । ବିପଦର ବନ୍ଧୁ କର୍ମକର୍ତ୍ତା ପ୍ରଦୀପ ଜେନା କହିଛନ୍ତି, ସଚେତନତା ଅଭାବ ଯୋଗୁ ଏହି ସମସ୍ୟା ଦେଖାଦେଇଛି। ଶିକ୍ଷା ବିଭାଗ ସହଯୋଗରେ ସମସ୍ତ ଶିଶୁ କିଭଳି ପାଠ ପଢ଼ିବେ ସେନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।