ପରଜଙ୍ଗ, ୧୫।୧୧ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ମହାବିରୋଡ଼ ବନାଞ୍ଚଳର ଡିହଡୋଳ ବନ ବିଭାଗ ସେକ୍ସନ ଅଧୀନ ଡିହଡୋଳ ବଜାର ଅଞ୍ଚଳରେ ରବିବାର ସକାଳେ ଏକ ଦନ୍ତା ହାତୀର ଉପଦ୍ରବ ଦେଖିବାକୁ ମିଳିଛି। ଦନ୍ତା ହାତୀଟି ବଜାର ମଧ୍ୟକୁ ପ୍ରବେଶ କରିବା ସହ ନିକଟସ୍ଥ ସାହି ଭିତରକୁ ମଧ୍ୟ ପଶିଯାଇଥିଲା। ଫଳରେ ବଜାରରେ ଥିବା ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।
ଜନଗହଳିପୂର୍ଣ୍ଣ ବଜାର ଓ ଜନବସତି ଅଞ୍ଚଳରେ ଦନ୍ତା ହାତୀର ଏଭଳି ଅବାଧ ଚଳପ୍ରଚଳକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ହାତୀଟି କେତେବେଳେ କେଉଁ ଅଞ୍ଚଳକୁ ପ୍ରବେଶ କରିବ, ସେ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି।
ତେଣୁ ହାତୀର ଗତିବିଧି ଉପରେ ବନ ବିଭାଗ ନିରନ୍ତର ନଜର ରଖିବା ସହ ସ୍ଥାନୀୟ ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।