ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଗତ ଶୁକ୍ରବାର (୦୨ ଅକ୍ଟୋବର) ରାତିରେ ହାତୀଟି ତିଜିମାଳି ଗ୍ରାମ ମଧ୍ୟକୁ ପଶି ଆସି ଚାଷଜମି ଓ ବାଡ଼ବଗିଚା ନଷ୍ଟ କରିବା ସହ ଗୋଟିଏ ବାସଗୃହକୁ ଭାଙ୍ଗି ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କେରପାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିଜିମାଳି ପାଦଦେଶର ତାରାମୁଣ୍ଡି ଗ୍ରାମର ଗୋପାଳ ମାଝୀଙ୍କ ଚାଳଛପର ଘରକୁ ହାତୀଟି ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଗୋପାଳ ଗତ ୩ ମାସ ହେବ କେରଳକୁ ଦାଦନ ଖଟିବାକୁ ଯାଇଥିବା ବେଳେ, ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଝୀ ରାତିରେ ଗାଁର ଜଣେ ସମ୍ପର୍କୀୟଙ୍କ ଘରେ ଶୋଇଥିବାରୁ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାସହ ଦନ୍ତା ହାତୀର ଚଳପ୍ରଚଳ ଯୋଗୁଁ ସ୍ଥାନୀୟ ଚାଷୀଙ୍କ ବ୍ୟାପକ ଧାନ ଫସଲ ଓ ବାଡ଼ବଗିଚା ଦଳିଚକଟି ନଷ୍ଟ ହୋଇଛି। ପ୍ରଭାବିତ ପରିବାର ଓ ଚାଷୀଙ୍କୁ ନିୟମାନୁସାରେ ତୁରନ୍ତ କ୍ଷତିପୂରଣ ଓ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏନେଇ ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ଫରେଷ୍ଟର ଅରୁଣ କୁମାର ହରିଚନ୍ଦନ ଏବଂ ଫରେଷ୍ଟ ଗାର୍ଡ ସୁଧାଂଶୁ ଶେଖର ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ ଏକ ଦନ୍ତା ହାତୀ କଳାହାଣ୍ଡି-ରାୟଗଡ଼ା ସୀମା ଭିତରେ ରହିଛି। ଖାଦ୍ୟ ସନ୍ଧାନରେ ହାତୀଟି ନିଜ ଦଳରୁ ଅଲଗା ହୋଇ ଏହି ଅଞ୍ଚଳକୁ ପଳାଇ ଆସିଥିବା ଅନୁମାନ କରାଯାଉଛି।
ସୋମବାର ସନ୍ଧ୍ୟାରେ ଡୁମେରପଦର ସ୍ଥିତ ମାଝୀପଡ଼ା ନିକଟସ୍ଥ ଧାନ ଚାଷ ଜମି ପାଖରେ ଦନ୍ତାଟି ଦେଖାଯାଇଥିବା ବେଳେ, ମଙ୍ଗଳବାର ସନ୍ଧ୍ୟା ୫ଟାରେ ବୋର୍ଡର ନିକଟସ୍ଥ ଡୁମେରପଦର ଜଙ୍ଗଲରେ ହାତୀଟିର ସ୍ଥିତି ଚିହ୍ନଟ ହୋଇଛି। ସେଠାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ରାୟଗଡ଼ା ଡିଭିଜନ୍ ଓ ଥୁଆମୂଳ ରାମପୁର ବନାଞ୍ଚଳ ଅଧିକାରୀ ମିଳିତ ଭାବେ ହାତୀର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।