ବଜାର ବୁଲି ସଚେତନ କଲେ ପୋଲିସ କମିଶନର

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଭୁବନେଶ୍ୱରରେ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ଏବେ ବି ଜଟିଳ ସ୍ଥିତି ଜାରି ରହିଛି। ଅମାନିଆଙ୍କ ପାଇଁ ସଂକ୍ରମଣ ବଢ଼ୁଥିବାବେଳେ ଦିନକୁ ୩ଶହ ଉପରେ ପଜିଟିଭ୍‌ ବାହାରୁଛନ୍ତି। ସେହିଭଳି ଏହି ମହାମାରୀ ଏକାଧିକ ଜୀବନ ନେଉଛି। ଏପରିସ୍ଥିତିରେ କରୋନା ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କମିଶନରେଟ ପୋଲିସ ନୂଆ ନୂଆ ପନ୍ଥା ଆପଣାଉଛି। ଯାଞ୍ଚ ଓ କଟକଣାକୁ ଜୋର୍‌ଦାର କରାଯାଇଥିବାବେଳେ ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବିଶେଷକରି ହାଟ, ବଜାର, ମଲ୍‌ରେ ସାମାଜିକ ଦୂରତା ରହୁ ନ ଥିବାରୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କିଛି କଠୋର, ଆଉ କିଛି କୋମଳ ଆଭିମୁଖ୍ୟ ଗ୍ରହଣ କରି ସ୍ଥିତିରେ ସୁଧାର ଆଣିବାକୁ ଅଣ୍ଟା ଭିଡିଛନ୍ତି। ଗୁରୁବାର କଟକ ଓ ଭୁବନେଶ୍ୱରରେ ସମସ୍ତ ବ୍ୟବସାୟୀ ସଂଘ ସହ ଆଲୋଚନା କରି ସହଯୋଗ ଲୋଡ଼ିଥିଲେ। ଏଥିସହ କେତେକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରସ୍ତାବ ଦେବା ସହ ବ୍ୟବସାୟୀଙ୍କଠାରୁ ଆଉକିଛି ପ୍ରସ୍ତାବ ମଧ୍ୟ ଗ୍ରହଣ କରିଥିଲେ। ତେବେ ସମସ୍ତଙ୍କ ସହଯୋଗରେ ହିଁ ସଂକ୍ରମଣ ରୋକିବା ସମ୍ଭବ ହେବ ବୋଲି କମିଶନର କହିଛନ୍ତି। ତେଣୁ ସେ ସଚେତନତା ଓ ସତର୍କତାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ପୋଲିସ କମିଶନର ଷଡ଼ଙ୍ଗୀ ନିଜ ଟିମ୍‌ ଧରି ରାସ୍ତାକୁ ଓହ୍ଲାଇଥିଲେ। ନିଜେ ରାଜଧାନୀର ବିଭିନ୍ନ ଛକ, ବଜାର ଓ ମଲ୍‌କୁ ଯାଇ ବ୍ୟବସାୟୀ ଏବଂ ଜନସାଧାରଣଙ୍କୁ ସଚେତନ କରିଥିଲେ। ବଜାରରେ କିଭଳି ଗ୍ରାହକମାନେ ସାମାଜିକ ଦୂରତ୍ୱ ବଜାୟ ରଖିବେ ସେଥିପ୍ରତି ଦୋକାନୀମାନେ ଧ୍ୟାନଦେବାକୁ ପରାମର୍ଶ ଦେଇଥିଲେ। ଏହାସତ୍ତ୍ୱେ ଆଗାମୀ ଦିନରେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଲେ ସେସବୁ ବଜାରକୁ ବନ୍ଦ କରି ଦିଆଯିବ ବୋଲି କମିଶନର ଷଡ଼ଙ୍ଗୀ ସତର୍କ କରାଇଥିଲେ। ତାଙ୍କ ସହ ଡିସିପି ଉମାଶଙ୍କର ଦାଶ ଓ ସିକ୍ୟୁରିଟି ଡିସିପି ନିର୍ମଳ ଶତପଥୀ ଅନ୍ୟ ପୋଲିସ କର୍ମଚାରୀମାନେ ରାଜଧାନୀର ୟୁନିଟ୍‌-୧ ମାର୍କେଟ, ମାର୍କେଟ ବିଲ୍ଡି, ପାଲହାଇଟ୍ସ, ଡମଣାଛକ ଆଦି ଅଞ୍ଚଳ ବୁଲି ତଦାରଖ କରିଥିଲେ। କୋଭିଡ୍‌ ନିୟମ ପାଳନେରେ ଏନ୍‌ଫୋର୍ସମେଣ୍ଟର ଯାଞ୍ଚକୁ ମଧ୍ୟ ତଦାରଖ କରିଥିଲେ।