ନନ୍ଦପୁର/ପାଡୁଆ,୧୩ା୫(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଗ୍ରାମରେ ବସବାସ କରୁଥିବା ୪୮ ପରିବାର ପାଇଁ ଥିବା ୨ଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ରହିଛି। ଅନ୍ୟଟିରୁ ଗୋଳିଆ ପାଣି ବାହାରୁଛି। ସୌରଚାଳିତ ପ୍ରକଳ୍ପ ଯାନ୍ତ୍ରିକ ତ୍ରୁଟିରେ ପଡ଼ି ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି। ଗ୍ରାମବାସୀ ଗାଁଠାରୁ ୫୦୦ ମିଟର ଦୂର ପାତାଳୀ ନଦୀ କୂଳରେ ଚୁଆ ଖୋଳି ସେଠାରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି।
ଏଭଳି ଘଟଣା କୋରାପୁଟ ଜିଲା ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତର ପୋଡ଼େଇ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଏଭଳି ଜଳକଷ୍ଟ ଗ୍ରାମବାସୀଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି। ୨ ନଳକୂପ ଓ ଅଚଳ ସୌର ଚାଳିତ ପ୍ରକଳ୍ପକୁ ମରାମତି କରି ସଚଳ କରିବାକୁ ବହୁବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମର ମହିଳା ଜାନକୀ ଖିଲ, ମନି କିଷାନୀ, ପାର୍ବତୀ ଖିଲ, ରୀନା କିଷାନୀ, ବତି ଖିଲ, ନିଲାମା ମୁଦୁଲି, ପ୍ରତିମା କିଷାନୀ ଓ ପୁରୁଷ ଦଶରଥ କିଷାନୀ, କାର୍ତ୍ତିକ ଖିଲ, ପର୍ଶୁରାମ ଗୁଣ୍ଠା, ଜଗଦୀଶ କିଷାନୀ ପ୍ରମୁଖ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ସମ୍ପର୍କରେ ନନ୍ଦପୁର ବ୍ଲକ ବିଡିଓ ଦୁର୍ଗା ପ୍ରସାଦ ଦୋରା, ଜିପିଡିଓ ଦେବେନ୍ଦ୍ର ମାଝୀ, ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ କାହ୍ନୁଚରଣ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଯନ୍ତ୍ରୀ ସେଠୀ ଗ୍ରାମ ପରିଦର୍ଶନ କରି ଅଚଳ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ମରାମତି କରିବା ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଛନ୍ତି।

