ସତ୍ୟ-ଚେତନା ଓ ଶ୍ରୀଅରବିନ୍ଦ

ମୁକ୍ତି ବିପ୍ଳବର ମନ୍ତ୍ରଦାତା ଶ୍ରୀଅରବିନ୍ଦ। ଭାରତୀୟ ସ୍ବାଧୀନତା ସଂଗ୍ରାମର ଆଦି ସ୍ଥପତି। ଜଣେ ଅଧିବିଦ୍ୟା ବିଶାରଦ, ମହାନ୍‌ ସାରସ୍ବତ ସ୍ରଷ୍ଟା, ଦେଶପ୍ରେମୀ, ଉସତ୍ର୍ଗୀକୃତ ରାଜନେତା ଓ ମହାନ୍‌ ଦାର୍ଶନିକ। ଭାରତୀୟ ମୁକ୍ତି ଆନ୍ଦୋଳନରେ ତାଙ୍କର ଯୋଗଦାନ ଅବଧି (୧୯୦୪-୧୯୧୦) ଅତି ସ୍ବଳ୍ପ ହେଲେ ମଧ୍ୟ ସେ ଥିଲେ ପ୍ରାକ୍‌ ଗାନ୍ଧୀ ପର୍ଯ୍ୟାୟର ସବୁଠାରୁ ଉତ୍ସର୍ଗୀକୃତ ନେତା। ତାଙ୍କର ଅଧ୍ୟୟନ, ଅନୁଧ୍ୟାନ ଓ ବୈପ୍ଳବିକ ଚିନ୍ତନକୁ ଆଧାରକରି ପ୍ରସ୍ତୁତ ହୋଇଥିଲା ମୁକ୍ତି ସଂଗ୍ରାମର ଆଦ୍ୟ ଖସଡ଼ା। ତାଙ୍କ ଦୃଷ୍ଟିରେ ମାତୃଭୂମି କେବଳ ବଣ, ପର୍ବତ ଓ ନଦୀ ଆଦିକୁ ନେଇ ସାମାନ୍ୟ ଭୂମିଖଣ୍ଡଟିଏ ବା ଜଡ଼ ପଦାର୍ଥ ନୁହେଁ, ତାହା ଥିଲା ବହୁ କୋଟି ଭାରତୀୟଙ୍କ ପ୍ରାଣଶକ୍ତିର ଏକ ସମନ୍ବିତ ବିଗ୍ରହ। ସେଥିପାଇଁ ସେ କହୁଥିଲେ, କୌଣସି ବାହ୍ୟ ଶକ୍ତି ଅପେକ୍ଷା ଲୋକଙ୍କ ଭିତରେ ଥିବା ସ୍ବାର୍ଥପରତା ଓ ହୀନମନ୍ୟତା ହିଁ ମାତୃଭୂମିର ଅସଲ ଶତ୍ରୁ।
ଶ୍ରୀଅରବିନ୍ଦଙ୍କ ଭାରତ ଭାବନା କେବଳ ଉପନିବେଶୀୟ ଶିକୁଳିରୁ ଦେଶକୁ ମୁକ୍ତକରିବା ଭିତରେ ସୀମିତ ନ ଥିଲା, ବରଂ ଏଥିରେ ନିହିତ ଥିଲା ଭାରତର ପୂର୍ଣ୍ଣ ନିର୍ମାଣ ତଥା ଆଧ୍ୟାମତ୍ିକ ଭୂମିକାକୁ ସୁନିଶ୍ଚିତ କରିବାର ସଂକଳ୍ପ। ୧୯୦୮ ମସିହାରେ ଆଲିପୁର ବୋମାମାଡ଼ ଘଟଣାରେ ଅଭିଯୁକ୍ତ ହୋଇ ‘ନବଶକ୍ତି’ କାର୍ଯ୍ୟାଳୟରୁ ଗିରଫ ହେଲା ପରେ ବନ୍ଦୀଶାଳାରେ ଗଭୀର ଭାବନାରେ ନିମଜ୍ଜିତ ରହି ସେ ଦିବ୍ୟଦୃଷ୍ଟି ବଳରେ ଜାଣିପାରିଥିଲେ ଆମ ସ୍ଥୂଳ ଚେତନାର ଊର୍ଦ୍ଧ୍ୱରେ ଅଛି ଏକ ମହାଜାଗତିକ ଚେତନା। ତା’ର ରହସ୍ୟ ଉନ୍ମୋଚନ ପାଇଁ ସେ ବ୍ୟାକୁଳ ହୋଇପଡ଼ିଲେ ଏବଂ ବନ୍ଦୀଶାଳାରୁ ନିର୍ଦ୍ଦୋଷରେ ମୁକ୍ତହେବା ପରେ ସକ୍ରିୟ ରାଜନୀତିରୁ ସମ୍ପୂର୍ଣ୍ଣ ଓହରିଗଲେ ଏବଂ ଉତ୍ତରପଡ଼ାଠାରେ ଅନୁଷ୍ଠିତ ଧର୍ମ ସଂରକ୍ଷଣୀ ସଭାରେ ଯେଉଁ ବକ୍ତବ୍ୟ ରଖିଲେ, ତାହା ଥିଲା ଭାରତୀୟ ନବଜାଗରଣର ଶଙ୍ଖନାଦ।
କାରାଗାର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିବାକୁ ଯାଇ ସେ କହିଥିଲେ – ‘ମୁଁ ବଡ଼ ହୋଇଛି ଇଂଲଣ୍ଡର ପାଶ୍ଚାତ ଚଳଣି ଓ ଧାରଣା ଭିତରେ। ମୋର ବିଶ୍ୱାସ ଜନ୍ମିଛି ଯେ ହିନ୍ଦୁଧର୍ମର ବହୁକଥା କପୋଳକଳ୍ପିତ ଓ ଅତିରଞ୍ଜିତ। କିନ୍ତୁ ଏହି କାରାବାସ ଭିତରେ ଯେଉଁ ସତ୍ୟ ମୋର ଦୃଷ୍ଟିଗୋଚର ହେଲା, କୌଣସି ବସ୍ତୁ ବିଜ୍ଞାନ ଖୋଜି ପାଇବନାହିଁ ତା’ର ଆଦି ଅନ୍ତ। ମୋର ଅନ୍ତର୍ଲୋକ ଥିଲା ନାସ୍ତିକର ନିବାସସ୍ଥଳ। କିନ୍ତୁ କୌଣସି ଅଦୃଶ୍ୟ ଶକ୍ତି ଦ୍ୱାରା ଆଦିଷ୍ଟ ହୋଇ ମୁଁ ବୁଝିବାକୁ ଚେଷ୍ଟାକଲି ବେଦ, ଗୀତା ଓ ହିନ୍ଦୁଧର୍ମର ମହତ୍ତ୍ୱ। ମୁଁ ଯୋଗସ୍ଥ ହୋଇ ପ୍ରାର୍ଥନା କଲି- ‘ହେ ଈଶ୍ୱର ଦେଶ ଓ ଜାତିର ଉତ୍ଥାନ ପାଇଁ କାର୍ଯ୍ୟ କରିବାକୁ ମୋତେ ଶକ୍ତି ଦିଅ, ଯେମିତି ଏ ଜୀବନ ସମର୍ପିତ ହେବ ମୋର ପ୍ରିୟ ଦେଶବାସୀଙ୍କ ପାଇଁ। ଦେଶର ମୁକ୍ତି ଆନ୍ଦୋଳନ କିଛି ରାଜନୈତିକ ଆନ୍ଦୋଳନ ନୁହେଁ, ଏହା ଗୋଟିଏ ଧର୍ମ, ଗୋଟିଏ ବିଶ୍ୱାସ ଓ ନିଷ୍ଠା। ଏହି ଦିବ୍ୟ ପ୍ରେରଣା ଦ୍ୱାରା ଅନୁପ୍ରେରିତ ହୋଇ ସେ ପଣ୍ଡିଚେରୀରେ ପହଞ୍ଚତ୍ଲେ (୪ା୪ା୧୯୧୦) ଏବଂ ଏଇଠୁ ଆରମ୍ଭ ହେଲା ତାଙ୍କ ଯୋଗ ସମର୍ପିତ ଜୀବନ।
୧୯୨୬ ନଭେମ୍ବର ୨୪ ରେ ଉଦ୍‌ଘୋଷିତ ହେଲା ତାଙ୍କ ମହାସିଦ୍ଧିର ବିଜୟ ବାର୍ତ୍ତା। ଦୀର୍ଘ ଷୋହଳ ବର୍ଷର ସ୍ବକୀୟ ସାଧନା ପରେ ଯେଉଁ ନିଷ୍କର୍ଷରେ ପହଞ୍ଚତ୍ଲେ ତାହାକୁ କୁହାଗଲା ସିଦ୍ଧି। ମାତ୍ର ତାଙ୍କ ନିଜସ୍ବ ଅବବୋଧରେ ଏହା ଥିଲା ସିଦ୍ଧିର ପ୍ରଥମ ସୋପାନ। ସିଦ୍ଧି ସ୍ବରୂପ ସେ ଯେଉଁ ଚେତନାର ଅଧିକାରୀ ହୋଇଥିଲେ ତାହା ଥିଲା ଅତିମାନସ ଅବତରଣର ଭିତ୍ତି ମାତ୍ର। ତେଣୁ ଜୀବନର ଉଚ୍ଚତର ସତ୍ୟକୁ ଉନ୍ମୋଚନକରିବା ନିମନ୍ତେ ସେ ଲୋକଚକ୍ଷୁର ଅନ୍ତରାଳରେ ରହି ଗଭୀର ସାଧନାରେ ନିମଗ୍ନ ହେଲେ ଜୀବନର ଅବଶିଷ୍ଟ ୨୪ ବର୍ଷ।
ସମଗ୍ର ମାନବ ସମାଜର ଚେତନାକୁ ଊର୍ଦ୍ଧ୍ୱାୟିତ କରିବା ଥିଲା ତାଙ୍କ ଜୀବନବ୍ୟାପୀ ସାଧନାର ମହତ୍ତର ଲକ୍ଷ୍ୟ। ଜଣେ ବିରଳ ସାରସ୍ବତ ସ୍ରଷ୍ଟା ଭାବେ ତାଙ୍କର ଅମୃତବର୍ଷି ଲେଖନୀ ନିସୃତ ‘ସାବିତ୍ରୀ’ ‘ଦିବ୍ୟ ଜୀବନ’ ଓ ‘ଯୋଗ ସମ୍ବନ୍ଧେ’ ଆଦି ଗ୍ରନ୍ଥ ବିଶ୍ୱ ମାନବ ପାଇଁ ଏକ ଏକ ଅମୂଲ୍ୟ ସମ୍ପଦ। ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ବିବର୍ତ୍ତନ ପ୍ରକ୍ରିୟାରେ ମଣିଷ ଆଜି ଚେତନାର ଯେଉଁ ସ୍ତରରେ ଉପନୀତ ହୋଇଛି ତାହା ବୁଦ୍ଧିର ସ୍ତର। ବୁଦ୍ଧି ବଳରେ ମଣିଷ ନିଜ ପାଇଁ, ନିଜ ପରିବାର ତଥା ନିଜ ଆମତ୍ୀୟମାନଙ୍କ ପାଇଁ ତିଆରି କରିପାରେ ସମୃଦ୍ଧିର ସୌଧ। ଅନ୍ୟକୁ ନିପାତ କରି ନିଜେ ତିଷ୍ଟିରହିବା ପାଇଁ ବିଜ୍ଞାନର ଉପଯୋଗରେ ନିର୍ମାଣ କରିପାରେ ବିଶ୍ୱବିଧ୍ୱ୍ବଂସୀ ମାରଣାସ୍ତ୍ର। ମାତ୍ର ମଣିଷର ବୁଦ୍ଧି ଓ ବୈଜ୍ଞାନିକତା ଊର୍ଦ୍ଧ୍ୱରେ ଅଛି ଆଉ ଏକ ଚେତନାର ସ୍ତର, ଯାହା ଅତିମାନସ ସ୍ତର ବା ସୁପର ମାଇଣ୍ଡ। ଏହି ଅତିମାନସ ସ୍ତରରେ ଅବସ୍ଥାନ ହିଁ ଦିବ୍ୟଜୀବନ ଲାଭ।
ସ୍ବକୀୟ ସାଧନା ବଳରେ ଧରାପୃଷ୍ଠକୁ ଅତିମାନସ ଶକ୍ତିର ଅବତରଣ ଥିଲା ବିଶ୍ୱମାନବ ପାଇଁ ଶ୍ରୀଅରବିନ୍ଦଙ୍କ ସର୍ବଶ୍ରେଷ୍ଠ ଅବଦାନ। ଜର୍ମାନ୍‌ ଦାର୍ଶନିକ ଫ୍ରେଡରିକ୍‌ ଉଇଲିୟମ୍‌ ନୀତ୍‌ସେ (୧୮୪୪-୧୯୦୦)ଙ୍କ ପାଖରୁ ସେ ପାଇଥିଲେ ଏହି ଆଧ୍ୟାମତ୍ିକ ଦଶର୍ନ ତତ୍ତ୍ୱର ମଞ୍ଜି। ନିତ୍‌ସେ ତାଙ୍କ ଅନ୍ତର୍ଦୃଷ୍ଟିରେ ପ୍ରତ୍ୟକ୍ଷ କରିଥିଲେ ଏକ ଅତି ମାନବ, ଯାହାକୁ ଶ୍ରୀଅରବିନ୍ଦ ଅତିମାନସରେ ଚାକ୍ଷୁସ କରି କହିଲେ, ଅବଚେତନର ଅଜ୍ଞତା ତଥା ରୋଗରୁ ମୁକ୍ତି, ଇଚ୍ଛାକୃତ ଜୀବନ ଯାପନ ଏବଂ ଶାରୀରିକ ପରିବର୍ତ୍ତନ ହେଉଛି ଅତିମାନସ ପରିବର୍ତ୍ତନର ଚରମ ନିୟମ।
ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ଭାରତ ଭୂମି ସମଗ୍ର ମାନବ ଜାତିର ତୀର୍ଥକ୍ଷେତ୍ର। ତା’ର ଆମତ୍ା ଅଭିନ୍ନ ଯୌଗିକ ଓ କ୍ରିୟାଶୀଳ। ଭାରତୀୟ ସଂସ୍କୃତିର ମହୋଦଧିରେ ଆସି ମିଶିଯାଇଛି ବହୁ ଧର୍ମ ଓ ସଂସ୍କୃତିର ଧାରା। ସଂକୀର୍ଣ୍ଣତାକୁ ଫିଙ୍ଗିଦେଇ, ଭେଦର ପାଚେରିକୁ ଭାଙ୍ଗିଦେବା ପାଇଁ କାଳେ କାଳେ ଆହ୍ବାନ ଦେଇଛି ଭାରତୀୟ ସଂସ୍କୃତି। ମାନବ ଜାତିର ହିତ ଏକ ଉଜ୍ଜ୍ୱଳତ୍ତମ ଓ ମହତ୍ତମ ସିଦ୍ଧି। ସେହି ସଫଳତା ବଳରେ ଭାରତ ହେବ ବିଶ୍ୱଗୁରୁ। ଶ୍ରୀଅରବିନ୍ଦଙ୍କ ପୂର୍ଣ୍ଣଯୋଗର ସିଦ୍ଧି ଅର୍ଥ ମାନବୀୟ ପ୍ରକୃତିର ସମ୍ପୂର୍ଣ୍ଣ ରୂପାନ୍ତର। ଶୁଦ୍ଧି, ମୁକ୍ତି, ସିଦ୍ଧି ଓ ଭୁକ୍ତି ଆଦି ଚାରିଟି ସ୍ତର ଦେଇ ଏହା ରୂପାନ୍ତର ହୋଇଥାଏ, ଯାହାକୁ କୁହାଯାଏ ପାର୍ଥିବ ଜୀବନରେ ଦିବ୍ୟ ଚେତନାର ପ୍ରତିଷ୍ଠା।
ଶ୍ରୀଅରବିନ୍ଦଙ୍କ ମତରେ ମଣିଷ ଏକ ବୁଦ୍ଧିମାନ ପ୍ରାଣୀ ଏବଂ ତା’ ଭିତରେ ରହିଛି ଏକ ବିକାଶଶୀଳ ଅଭୀପ୍ସାପରାୟଣ ଅନ୍ତସତ୍ତା ବା ଚୈତ୍ୟପୁରୁଷ। ତାହା ହିଁ ‘ଚରୈବେତି ଚରୈବେତି’ କହି ମଣିଷକୁ ସର୍ବଦା ଆଗକୁ ଠେଲୁଥାଏ ଅପ୍ରକାଶ୍ୟ ଭାବରେ। ଅନ୍ୟପକ୍ଷରେ ମଣିଷର ଗତି ଆଗରେ ବଡ଼ ପ୍ରତିବନ୍ଧକ ହୋଇ ଠିଆହୋଇଛି ତା’ର ମୃତ୍ୟୁ ଚେତନା। ମୃତ୍ୟୁ କହିଲେ କେବଳ ଦୈହିକ ମୃତ୍ୟୁ ନୁହେଁ, ବରଂ ଏହା ଏକ ନୈରାଶ୍ୟକର ନାସ୍ତିତ୍ୱ। ମଣିଷ ହେତୁ ପାଇବା ମାତ୍ରେ ତାକୁ ଏଠି ବୁଝାଇଦିଆଯାଏ ଜୀବନ ଅନିତ୍ୟ, ସଂସାର ଅଳିକ ଏବଂ ସମ୍ପର୍କ ସବୁ ଅସତ୍ୟ, ଛାୟାବାଜି ଓ ଭେଳିକି। ଏମିତି ଏକ ଅସତ୍ୟବୋଧକୁ ଆପଣାଇ ଘୋର ସଂଶୟ, ନୈରାଶ୍ୟ ଓ ଦୁଃଖରେ ନିତ୍ୟ ଘାରିହୁଏ ମଣିଷ। ଏହି ଅସତ୍ୟ ଓ ନୈରାଶ୍ୟବୋଧକୁ ଶ୍ରୀଅରବିନ୍ଦ କହନ୍ତି ମୃତ୍ୟୁ। ଏହା ଏକ ପାରମ୍ପରିକ ଅଭ୍ୟାସ ଏବଂ ଶକ୍ତିଶାଳୀ ପ୍ରବୃତ୍ତିି ଭାବରେ ଆଜି ପର୍ଯ୍ୟନ୍ତ ମଣିଷକୁ ଦେଖାଇ ଆସିଛି ତା’ର ପରାକ୍ରମ।
ମୃତ୍ୟୁବୋଧ ଆମତ୍ାରେ ନୁହେଁ, ଥାଏ କେବଳ ଦେହରେ, ମନରେ ଓ ପ୍ରାଣରେ। ବିଡ଼ମ୍ବନାର ବିଷୟ ମଣିଷ ଏଯାଏ ଆମତ୍ାରେ ନ ବଞ୍ଚତ୍, ବଞ୍ଚତ୍ଛି କେବଳ ଦେହ, ମନ ଓ ପ୍ରାଣକୁ ନେଇ। ତେଣୁ ସେ କହୁଥିଲେ, ଜାଣି ପାରିଥିଲେ ମଣିଷର ଦେହ, ମନ ଓ ପ୍ରାଣ ଯେଉଁ ଦିନ ଆମତ୍ାଠାରୁ ବିଚ୍ଛିନ୍ନ ନ ହୋଇ ତା’ ସହ ଏକୀଭୂତ ହେବ, ସେଦିନ ତାକୁ ଆଉ କାବୁ କରିପାରିବନି ମିଥ୍ୟାବୋଧ ବା ମୃତ୍ୟୁ। ଶ୍ରୀଅରବିନ୍ଦ କେବଳ ଜଣେ ମହାଯୋଗୀ ବା ମହାକବି ନୁହନ୍ତି, ସେ ଥିଲେ ଏହି ସୁଖ ଦୁଃଖଭରା ପୃଥିବୀର ଜଣେ ଉଦାରବାଦୀ ପ୍ରେମିକ। ତାଙ୍କ ମତରେ ମୃତ୍ୟୁ ଭଳି ଏକ ସର୍ବଶ୍ରେଷ୍ଠ ବଳିୟାନ ଶତ୍ରୁ ସହ ଲଢ଼ି ତାକୁ ପରାସ୍ତ କରିବା ପାଇଁ ତା’ର ଏକମାତ୍ର ପ୍ରତିପକ୍ଷ ହେଉଛି ପ୍ରେମ। ପୃଥିବୀରେ ଏବେ ଏହି ଦୁଇଟି ଶକ୍ତିର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ଏବଂ ଏ ଯାବତ୍‌ ପୃଥିବୀକୁ କବଳିତ କରି ରଖିଛି ମୃତ୍ୟୁ। ପ୍ରେମ ହାତରୁ ତା’ର ପାତ୍ରପାତ୍ରୀକୁ ସେ ଛଡ଼ାଇନେଇ ପାରୁଛି ଆପଣା ପରାକ୍ରମ ବଳରେ। ମାତ୍ର ଆଶ୍ୱାସନାର ବିଷୟ, ସ୍ବୟଂ ପ୍ରେମ କେବେ କବଳିତ ହୋଇନାହିଁ ମୃତ୍ୟୁ ହାତରେ। ମଣିଷର ପ୍ରେମ ଯେଉଁଦିନ ଦିବ୍ୟପ୍ରେମର ଶକ୍ତି, ସାମର୍ଥ୍ୟ, ଉଦାରତା ଓ ଶୁଦ୍ଧତା ଅର୍ଜନ କରିବ, ସେଦିନ ମୃତ୍ୟୁ ଉପରେ ବିଜୟ ଲାଭ କରିବ ପ୍ରେମ। ଭବିଷ୍ୟତର ମହାକାବ୍ୟ ସାବିତ୍ରୀ ସେହି ଯୋଗମାର୍ଗ ବିଭୂତିର ଶ୍ରେଷ୍ଠ ସଂହିତା।

ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪

 

Dharitri – Odisha’s No.1 Odia Daily