ଓ୍ବାଶିଂଟନ,୧୨ା୫(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ବନ୍ଦ ଲାଗି ଆମେରିକା ପ୍ରସ୍ତାବ ଉପରେ ଇରାନ ଦେଇଥିବା ଜବାବକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଦୌ ଗ୍ରହଣୀୟ ନୁହେଁ କହି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ତେବେ ଟ୍ରମ୍ପ୍ ଏହା ଉପରେ ଅଧିକ କିଛି କହି ନ ଥିବାବେଳେ ସାମରିକ ଅଭିଯାନ ଉପରେ ବିଚାର କରିବାକୁ ଜଣେ ପ୍ରମୁଖ ରିପବ୍ଲିକାନ୍ ନେତା ତାଙ୍କୁ ନିବେଦନ କରିଛନ୍ତି।
ସହ ଫେବୃଆରୀ ୨୮ରୁ ଆରମ୍ଭ ହୋଇଥିବା ଯୁଦ୍ଧ ବନ୍ଦ ଏବଂ ବିଶ୍ୱ ତୈଳ ଯୋଗାଣର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଖୋଲିବା ଦିଗରେ ଏକ ସଫଳତା ଆସିପାରେ ବୋଲି ଆଶା କରଯାଉଥିଲାବେଳେ ଟ୍ରମ୍ପ୍ ରବିବାର ତେହରାନ୍ର ପ୍ରସ୍ତାବ ପାଇଥିଲେ। ଆମେରିକାର ତଥାକଥିତ ପ୍ରତିନିଧିମାନଙ୍କ ଜବାବ ପଢ଼ିଛି। ଏହାକୁ ମୁଁ ପସନ୍ଦ କରୁନାହିଁ, ଏହା ସମ୍ପୂର୍ଣ୍ଣ ଅଗ୍ରହଣୀୟ ବୋଲି ଟ୍ରମ୍ପ୍ ତାଙ୍କ ଟ୍ରୁଥ୍ ସୋସିଆଲ ପ୍ଲାଟ୍ଫର୍ମରେ ଲେଖିଛନ୍ତି। ଅନ୍ତର୍ଜାତୀୟ ଜାହାଜ ଚଳାଚଳ ଏବଂ ଆମ ମଧ୍ୟପ୍ରାଚ୍ୟ ସହଯୋଗୀମାନଙ୍କ ଉପରେ କ୍ରମାଗତ ଆକ୍ରମଣ ଲାଗିରହିଥିବାବେଳେ ଆମେରିକାର କୂଟନୈତକ ପ୍ରସ୍ତାବ ଉପରେ ସେମାନଙ୍କ ଜବାବ ଆଦୌ ଗ୍ରହଣୀୟ ନୁହେଁ। ମୋ ମତରେ ରଣନୀତି ବଦଳାଇବା ସମ୍ପର୍କରେ ବିଚାର କରିବା ସମୟ ଆସିଥିବା ଜଣେ ରିପବ୍ଲିକାନ୍ ନେତା କହିଛନ୍ତି।
ଆଲୋଚନା ପୁନର୍ବାର ଆରମ୍ଭ କରିବା ପାଇଁ ଆମେରିକା ପ୍ରସ୍ତାବ ଦେଇଥିବାବେଳେ ସବୁଦିଗରୁ ବିଶେଷ କରି ଲେବାନନ୍ ସହ ଯୁଦ୍ଧ ବନ୍ଦ କରିବା ଉପରେ ତେହରାନ୍ ଏହାର ଜବାବରେ ଗୁରୁତ୍ୱ ଦେଇଥିଲା। ଏଥିସହିତ ଯୁଦ୍ଧରେ ହୋଇଥିବା କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦାବି କରିବା ସହ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ରେ ଇରାନର ସାର୍ବଭୌମତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲା। ଆମେରିକା ଏହାର ନୌସେନା ଅବରୋଧ ହଟାଇବା ପାଇଁ ଇରାନ ଆହ୍ବାନ ଦେବା ସହ ଆଗକୁ ଆକ୍ରମଣ ନ କରିବାର ଗ୍ୟାରେଣ୍ଟି ପ୍ରଦାନ କରିବା, କଟକଣା ହଟାଇବା ଏବଂ ଇରାନୀୟ ତୈଳ ବିକ୍ରି ଉପରୁ ଆମେରିକାର ନିଷେଧାଦେଶ ପ୍ରତ୍ୟାହାର କରିନେବା ଲାଗି ତେହରାନ୍ ପ୍ରସ୍ତାବ ଦେଇଥିଲା। ଆମେରିକା ଉକ୍ତ ପ୍ରସ୍ତାବ ପାଇବା ପରେ ଟ୍ରମ୍ପ୍ ତୁରନ୍ତ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ଅନ୍ୟପକ୍ଷରେ ଯୁଦ୍ଧ ବନ୍ଦ ଲାଗି ତେହରାନ୍ ପଠାଇଥିବା ଏହାର ପ୍ରସ୍ତାବକୁ ଉଦାରମନା ଏବଂ ଦାୟିତ୍ୱବାନ୍ ବୋଲି କହିଛି। ଯୁଦ୍ଧ ବନ୍ଦ ଏବଂ ଆମେରିକା ଅବରୋଧ ପ୍ରତ୍ୟାହାର ଦାବି କରିବା ସହ ଆମେରିକା ଚାପ ଯୋଗୁ ବ୍ୟାଙ୍କଗୁଡ଼ିକରେ ଅନ୍ୟାୟ ଭାବେ ଅଟକି ରହିଥିବା ଇରାନର ସମ୍ପତ୍ତିକୁ ମୁକ୍ତ କରିବା ଦାବି ଯଥାର୍ଥ ଥିଲା ବୋଲି ଇରାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଏସ୍ମାଇଲ୍ ବାଘେଇ କହିଛନ୍ତି।
ଇରାନ ପ୍ରସ୍ତାବକୁ ଟ୍ରମ୍ପ୍ ପ୍ରତ୍ୟାଖ୍ୟାନ କରିଦେବା ଫଳରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ନିକଟରେ ଖୋଲିବା ସମ୍ଭାବନା ନ ଥିବା ଖବର ପ୍ରସାରିତ ହେବାରୁ ସୋମବାର ଅନ୍ତର୍ଜାତୀୟ ବଜାରରେ ତୈଳ ଦର ପାଖାପାଖି ୩ ପ୍ରତିଶତ ବୃଦ୍ଧି ପାଇଛି। ଫେବୃଆରୀ ୨୮ର ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଉକ୍ତ ଜଳପଥ ଦେଇ ବିଶ୍ୱ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଯୋଗାଣର ଏକ-ପଞ୍ଚମାଂଶ ପରିବହନ ହେଉଥିଲା।