
ଓ୍ବାଶିଂଟନ୍,୧।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଦେଶୀ ମାନବିକ ସହାୟତାରେ ବ୍ୟାପକ ହ୍ରାସ ଦ୍ୱାରା ୨୦୩୦ ସୁଦ୍ଧା ସାରା ବିଶ୍ୱରେ ଭୋକ ଏବଂ ମହାମାରୀରେ ୧.୪ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ। ମେଡିକାଲ ଜର୍ଣ୍ଣାଲ ଦି ଲାନସେଟ (The Lancet) ରେ ପ୍ରକାଶିତ ଏକ ସାମ୍ପ୍ରତିକ ରିପୋର୍ଟରେ ଏହା ପ୍ରକାଶିତ ହୋଇଛି।
ରିପୋର୍ଟ ଅନୁଯାୟୀ, ଏହି ଅତିରିକ୍ତ ମୃତ୍ୟୁର ଏକ ତୃତୀୟାଂଶ ପିଲାମାନେ ବୋଲି ଜଣାପଡିଛି। ଗରିବ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଅଧିକ ପ୍ରଭାବିତ ହେବେ। ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ମାର୍ଚ୍ଚରେ ସୂଚନା ଦେଇଥିଲେ ଯେ, ଟ୍ରମ୍ପ ପ୍ରଶାସନ ଆମେରିକାର ବିକାଶ ସହାୟତା ସଂସ୍ଥା ୟୁଏସଏଆଇଡିର ୮୦%ରୁ ଅଧିକ ଯୋଜନାକୁ ବାତିଲ କରିଦେଇଛି।
ଏହି ରିପୋର୍ଟର ସହ-ଲେଖକ ଡକ୍ଟର ଡେଭିଡ ରାସେଲା କହିଛନ୍ତି,ଏତେ ବଡ଼ ପରିମାଣରେ ସହାୟତା ବନ୍ଦ କରିବା ଅନେକ ଦେଶ ପାଇଁ ଏକ ବିଶ୍ୱବ୍ୟାପୀ ମହାମାରୀ କିମ୍ବା ଯୁଦ୍ଧ ସହିତ ସମାନ ଝଟ୍କା ହେବ। ଏହା ବିଶେଷକରି ସ୍ବାସ୍ଥ୍ୟ ସେବା ଏବଂ ଗରିବ ଜନସଂଖ୍ୟା ଉପରେ ବିନାଶକାରୀ ପ୍ରଭାବ ପକାଇବ।
ଆମେରିକାର ବିଦେଶୀ ମାନବିକ ସହାୟତା (USAID) ଉପରେ ବ୍ୟାପକ କଟକଣା କରିବାର ନିଷ୍ପତ୍ତି ବିଶ୍ୱର ଅନେକ ଗରିବ ଏବଂ ବିକାଶଶୀଳ ଦେଶ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ। ଯଦି ୮୩% ପର୍ଯ୍ୟନ୍ତ ସହାୟତା କାଟ କାର୍ଯ୍ୟକାରୀ କରାଯାଏ, ତେବେ ୨୦୩୦ ସୁଦ୍ଧା ୧.୪ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁକୁ ରୋକାଯାଇପାରିବ ନାହିଁ।
୪୫ ଲକ୍ଷରୁ ଅଧିକ ମୃତ୍ୟୁ କେବଳ ୫ ବର୍ଷରୁ କମ ବୟସର ପିଲାମାନଙ୍କର ହେବ, ଯାହାର ଅର୍ଥ ହେଉଛି ପ୍ରତିବର୍ଷ ପ୍ରାୟ ୭ ଲକ୍ଷ ନିର୍ଦ୍ଦୋଷ ଜୀବନ ହରାଇ ପାରିବେ। ରିପୋର୍ଟର ସହ-ଲେଖକ ଏବଂ ବାର୍ସିଲୋନା ଇନଷ୍ଟିଚ୍ୟୁଟ ଫର୍ ଗ୍ଲୋବାଲ ହେଲ୍ଥରେ ଗବେଷକ ଡେଭିଡ ରାସେଲା କହିଛନ୍ତି, ଏହି କଟକଣା ଦୁଇ ଦଶନ୍ଧି ଧରି ସ୍ବାସ୍ଥ୍ୟ ସେବାରେ ହୋଇଥିବା ପ୍ରଗତିକୁ ଗୋଟିଏ ଝଟକାରେ ବନ୍ଦ କିମ୍ବା ଓଲଟାଇ ଦେଇପାରେ।
ଆମେରିକା ଗରିବ ଦେଶଗୁଡ଼ିକୁ ମାନବିକ ସହାୟତା (USAID) ଉପରେ ବ୍ୟାପକ କଟକଣା କରିଛି, ଯାହା ଆଫ୍ରିକୀୟ ଦେଶଗୁଡ଼ିକରେ କ୍ଷୁଧା ଏବଂ କୁପୋଷଣର ପରିସ୍ଥିତିକୁ ଆହୁରି ଖରାପ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏହି ବର୍ଷ ବିଦେଶୀ ସହାୟତାରେ ୮୩% ହ୍ରାସ କରିଛି।