ପୁଣି ନୋବେଲ ଶାନ୍ତି ପୁରସ୍କାର ଦାବିକଲେ ଟ୍ରମ୍ପ୍‌, ୮ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ

ଓ୍ବାଶିଂଟନ,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୁଣି ଥରେ ଦାବି ଉପସ୍ଥାପନ କରିଛନ୍ତି । ସେ ୮ଟି ଯୁଦ୍ଧର ସମାଧାନ କରିଛନ୍ତି ଏବଂ ଅନ୍ୟ କୌଣସି ରାଷ୍ଟ୍ରପତି ଏହି ସଫଳତା ହାସଲ କରିନାହାନ୍ତି ବୋଲି ଦାବି କରିଛନ୍ତି । ଫିଫା ଶାନ୍ତି ପୁରସ୍କାରର ଏକ ସ୍ବତନ୍ତ୍ର ପଦକ ପାଇସାରିବା ପରେ ସେ ବର୍ତ୍ତମାନ ନୋବେଲ କମିଟିଠାରୁ ମଧ୍ୟ ଏହି ସମ୍ମାନ ଚାହୁଁଛନ୍ତି । ତେବେ କୂଟନୀତିରେ ସୂକ୍ଷ୍ମତା ତାଙ୍କର କେବେବି ମୁଖ୍ୟ ବିଷୟ ରହି ନାହିଁ। ଶୁକ୍ରବାର ୨୦୨୬ ମସିହାର ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହେବା ପୂର୍ବରୁ ବୁଧବାର ଓୱାଲ ଅଫିସରେ କଥାବାର୍ତ୍ତାବେଳେ ଟ୍ରମ୍ପ ଜୋର ଦେଇ କହିଥିଲେ ଯେ, ତାଙ୍କର କାର୍ଯ୍ୟ ଏବଂ ରେକର୍ଡ ହିଁ ସବୁକିଛି ବୟାନ କରୁଛି ଏବଂ ଏହାକୁ ସ୍ବୀକାର ନ କରିବା ନରୱେଜିଆନ ନୋବେଲ କମିଟି ପାଇଁ ଏକ ଦୁର୍ଭାଗ୍ୟଜନକ ବିଷୟ ହେବ।
ଟ୍ରମ୍ପ ଏହା ମଧ୍ୟ ସୂଚନା ଦେଇଛନ୍ତି, ତାଙ୍କର କୂଟନୈତିକ ସଫଳତାର ତାଲିକାରେ ଶୀଘ୍ର ଆଉ ଏକ ସଂଘର୍ଷ ଯୋଡ଼ି ହୋଇପାରେ। ଏହା ସମ୍ଭବତଃ ଆମେରିକା-ଇରାନ ଯୁଦ୍ଧକୁ ସୂଚାଉଛି, ଯାହା ବର୍ତ୍ତମାନ ଆଠମାସରେ ପହଞ୍ଚିଛି। ବିଶ୍ୱର ସର୍ବଶ୍ରେଷ୍ଠ ଶାନ୍ତିପ୍ରଣେତା ଭାବରେ ତାଙ୍କର ନିଜସ୍ବ ପ୍ରତିଛବି ମଧ୍ୟରେ ଏହି ଯୁଦ୍ଧ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ତାଙ୍କ ପ୍ରଶାସନ ଏହି ସଂଘର୍ଷର ଅନ୍ତ ଘଟାଇବା ପାଇଁ ପ୍ରୟାସ ଜାରି ରଖିଛି। ୨୦୨୫ ଜାନୁଆରୀରେ କ୍ଷମତାକୁ ଫେରିବା ପରେ ଟ୍ରମ୍ପ ବାରମ୍ବାର ୮ଟି ସଂଘର୍ଷର ସମାଧାନ କରିଥିବା ନେଇ ଶ୍ରେୟ ଦାବି କରିଆସୁଛନ୍ତି। ତାଙ୍କ ପ୍ରଶାସନ ଇସ୍ରାଏଲ ଓ ଇରାନ, ଭାରତ ଓ ପାକିସ୍ତାନ, ର୍ବାଣ୍ଡା ଓ କଙ୍ଗୋ ପ୍ରଜାତାନ୍ତ୍ରିତ ସାଧାରଣତନ୍ତ୍ର, ଆର୍ମେନିଆ ଓ ଆଜରବୈଜାନ, ଥାଇଲାଣ୍ଡ ଓ କାମ୍ବୋଡ଼ିଆ, ମିଶର ଓ ଇଥିଓପିଆ ଏବଂ ସର୍ବିଆ ଓ କୋସୋଭୋ ଇତ୍ୟାଦି ମଧ୍ୟରେ ଥିବା ବିବାଦକୁ ସମାଧାନ କରିଥିବା ଦାବି କରିଛି। ତେବେ ଏହିସବୁ ଯୁଦ୍ଧରେ ଓ୍ବାଶିଂଟନ୍‌ର ଭୂମିକାକୁ ନେଇ ମଧ୍ୟ ବିବାଦ ରହିଛି। ଉଦାହରଣ ସ୍ବରୂପ ଭାରତ ୨୦୨୫ ମେ’ ମାସର ପାକିସ୍ତାନ ସହିତ ହୋଇଥିବା ଯୁଦ୍ଧବିରତିରେ ଟ୍ରମ୍ପ ମଧ୍ୟସ୍ଥତା କରିଥିବା ନେଇ ଦାବିକୁ ପରୋକ୍ଷ ଭାବରେ ପ୍ରତ୍ୟାଖ୍ୟାନ କରିଛି।

 

Dharitri – Odisha’s No.1 Odia Daily

Share