ବଡ଼ ବଡ଼ ଶାଳ ଗଣ୍ଡି ସହ ଟ୍ରକ୍ ଜବତ, ଜଣେ ଅଟକ: ବନାଞ୍ଚଳରୁ ଚୋରା ଚାଲାଣ ବେଳେ ମାଡ଼ି ବସିଲା ….

ଦାରିଙ୍ଗବାଡ଼ି, ୧୯/୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ସିମନବାଡ଼ି ଉପବିଭାଗ ଓ କ. ନୂଆଗାଁ ବନାଞ୍ଚଳରୁ ବଡ଼ ବଡ଼ ଶାଳ ଗଣ୍ଡି ଏକ ଟ୍ରକ୍‌ରେ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ ଚଢ଼ାଉ କରିଛି। ଉଭୟ ବନାଞ୍ଚଳର କର୍ମଚାରୀ ମିଳିତ ଭାବେ ଟ୍ରକ୍‌ ସହ କାଠ ଜବତ କରିଥିବା ବେଳେ ଜଣଙ୍କୁ ଅଟକ ରଖିଛନ୍ତି। ଏ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ଜବତ କାଠର ଆନୁମାନିକ ମୂଲ୍ୟ ଏଯାବତ୍‌ ଆକଳନ କରାଯାଇନାହିଁ। ତେବେ ଟ୍ରକ୍‌ରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଳ କାଠ ରହିଥିବା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି। ସିମନବାଡ଼ି ଉପବିଭାଗର ବନପାଳ ବନିତା ପ୍ରଧାନ ଜବତ କାଠର ମୂଲ୍ୟାଙ୍କନ କରୁଛନ୍ତି। କାଠ କେଉଁ ଜଙ୍ଗଲରୁ କଟାଯାଇଥିଲା ଏବଂ ଏହାକୁ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା, ସେ ସମ୍ପର୍କରେ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ପ୍ରକାଶ ଥାଉ କି, ଓଡ଼ି-୦୫-ବିଜେ-୪୭୭୪ ନମ୍ବର ବିଶିଷ୍ଟ ଟ୍ରକ୍‌ରେ ବହୁ ପରିମାଣର ମୂଲ୍ୟବାନ ଶାଳ ଗଣ୍ଡି ବୋଝେଇ କରାଯାଇଥିଲା। କେହି ଯେପରି ସହଜରେ ଜାଣିପାରିବେ ନାହିଁ, ସେଥିପାଇଁ କାଠ ଉପରେ ପାଲ ଘୋଡ଼ାଯାଇଥିଲା। ବନ ବିଭାଗକୁ କୌଣସି ସୂତ୍ରରୁ ଏ ସମ୍ପର୍କରେ ଖବର ମିଳିବା ପରେ ଉଭୟ ବନାଞ୍ଚଳର କର୍ମଚାରୀ ମିଳିତ ଚଢ଼ାଉ କରିଥିଲେ। ଜାତୀୟ ରାଜପଥ ନମ୍ବର ୫୯ର ସିମନବାଡ଼ିଠାରୁ କଞ୍ଜାମେଣ୍ଡି ଛକ ମଧ୍ୟରେ ଟ୍ରକ୍‌ଟିକୁ ଅଟକାଇ ଜବତ କରାଯାଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ, ନବରାତ୍ରି ପୂଜା ଅବସରରେ ବନ କର୍ମଚାରୀମାନେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥିବାର ସୁଯୋଗ ନେଇ କାଠ ମାଫିଆମାନେ ଚୋରା ଚାଲାଣ କରୁଥିବା ଚର୍ଚ୍ଚା ହେଉଛି। ତେବେ ଏହି ଘଟଣାରେ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା ଓ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Dharitri – Odisha’s No.1 Odia Daily

Share