ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି ପଡିଛି । ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ ରେ ଏକ ଧାନ ବୋଝେଇ ଟ୍ରକ୍ ନଂ.( ଓଡି ୨୫ ଏଫ୍ ୨୩୨୬) ଭାରସାମ୍ୟ ହରାଇ ଚାଷଜମିକୁ ଓଲଟି ପଡ଼ିଥିବା ଜଣାପଡିଛି । ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଉଭୟ ଚାଳକ ଓ ହେଲପର ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।

ସକାଳୁ ଧାନ ବୋଝେଇ ଟ୍ରକଟି  ବୁଗୁଡାରୁ ଚିକିଟି ଅଭିମୁଖେ ଯାଉଥିବା ସମୟରେ ରାଜପୁର – ଚାଞ୍ଚଡାପଲ୍ଲୀ ଛକ ନିକଟରେ ଏକ ଗାଈ ହଠାତ ଟ୍ରକ ସମ୍ମୁଖକୁ ଚାଲି ଆସିଥିଲା । ଫଳରେ ଚାଳକ ଅନ୍ୟ ଉପାୟ ନପାଇ ଅଘଟଣ ଆଶଙ୍କାରେ ଟ୍ରକକୁ  ରାସ୍ତାପାର୍ଶ୍ବକୁ ନେଇଯାଇଥିଲେ । କିନ୍ତୁ ଟ୍ରକଟି ନିୟନ୍ତ୍ରଣ ହରାଇ ଚାଷଜମିକୁ ଓଲଟି ପଡିଥିଲା।  ସଠିକ ସମୟରେ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇବାରୁ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ଟ୍ରକ ଚାଳକ କିମ୍ବା ହେଲ୍ପରଙ୍କ ପରିଚୟ ଜଣାପଡିନାହିଁ ।

 

Dharitri – Odisha’s No.1 Odia Daily