ଦୁର୍ଗା ପୂଜା ଦେଖିବାକୁ ଯିବା ବାଟରେ ସାମ୍ନାରୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୮ ଗୁରୁତର

ଭବାନୀପାଟଣା,୫।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ବୁଧବାର ଏକ ଅଟୋ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,ଗୁଣ୍ଡରି ଗାଁର ୨ଟି ପରିବାରର ୯ ଜଣ ଲୋକ ଏକ ଅଟୋ ଯୋଗେ ଦେପୁର ଗାଁକୁ ଦୁର୍ଗା ପୂଜା ଦେଖିବାକୁ ଯାଉଥିଲେ । ଏହି ସମୟରେ ଭବାନୀପାଟଣା ମଦନପୁର ରାମପୁର ରାସ୍ତା ଡଙ୍ଗରଗଡ଼ ନିକଟରେ ତାଙ୍କ ଅଟୋକୁ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଅଟୋଟି ଓଲଟି ପଡିଥିଲା । ଏଥିରେ ଥିବା ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ପ୍ରଥମେ ଟ୍ରକଟିକୁ ଅଟକ ରଖିଥିବା ବେଳେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। ତେବେ ମୃତ ମହିଳା ଜଣକ ଗୁଣ୍ଡରି ଗାଁର ହୋଇଥିବା ଜଣାପଡିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଘଟଣା ବିଷୟରେ ଗାଁରେ ଖବର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।