ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବଲ୍ଲଭ ଧରୁଆ, ଜିଲାପାଳ ଗୌରବ ଶିବାଜୀ ଇଶଲୱାର, ଉପଜିଲାପାଳ ଆଲୋକ ପଟେଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ, ସ୍କୁଲ-କଲେଜର ଛାତ୍ରଛାତ୍ରୀ, ଭାଜପା ନେତା ଓ କର୍ମୀ ଏବଂ ବହୁ ସଂଖ୍ୟକ ସାଧାରଣ ଜନତା ଯୋଗଦେଇଥିଲେ।
ସ୍ଥାନୀୟ ସର୍କିଟ୍ ହାଉସ୍ଠାରୁ ଶତାଧିକ ଛାତ୍ରୀଛାତ୍ର, କର୍ମଚାରୀ ଓ ଯୁବକଙ୍କ ଅଂଶଗ୍ରହଣରେ ପ୍ରାୟ ୫୦୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ସହ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ସର୍କିଟ୍ ହାଉସ୍ରୁ ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ସରକାରୀ ମହିଳା ମହାବିଦ୍ୟାଳୟରେ ପହଞ୍ଚିଥିଲା।
ଶୋଭାଯାତ୍ରାରେ ପ୍ରଦର୍ଶିତ ୫୦୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ପ୍ରଦାନ କରିଥିଲା। ଏହି ଅବସରରେ ଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତର ତାଳେତାଳେ ନୃତ୍ୟ ପରିବେଷଣ କରିଥିଲେ। ପରେ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏକ ସଭା ଆୟୋଜିତ ହୋଇଥିଲା। ଦେଶପ୍ରେମ, ଜାତୀୟ ଏକତା ଓ ସ୍ୱଚ୍ଛତା ସମ୍ପର୍କରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହାସହ ‘ଘରେ ଘରେ ତ୍ରିରଙ୍ଗା’ ଓ ‘ଘରେ ଘରେ ସ୍ୱଚ୍ଛତା’ ଅଭିଯାନ ସମ୍ପର୍କରେ ବଲାଙ୍ଗୀର ପୌରପାଳିକା ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା ସହ ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।