ଓଡ଼ିଶାର ଜନଜାତି ଓ ମାଟିର ଭାଷା

ଏ ବର୍ଷ ଏପ୍ରିଲ ପହିଲାରେ ପଶ୍ଚିମା ଝଡ଼ ଯୋଗୁ ମେଘୁଆ ମେଘୁଆ ପାଗ ଥିଲା। ରହି ରହି ବର୍ଷା ହେଉଥିଲା। କିଛି କାମ ଲାଗି ଆମେ ବଜାର ଆଡ଼େ ଯାଇଥାଉ। ବଜାରରେ ଥିବା ବେଳେ ଜୋର ବର୍ଷା ହେବାରୁ ଆଶ୍ରୟ ଲାଗି ଏକ ବହି ଦୋକାନରେ ପଶିଗଲୁ। ବହି ଦୋକାନରେ ଠିଆ ହୋଇ ଆମେ ବର୍ଷା ଛାଡ଼ିବାର ଅପେକ୍ଷା କରିଥାଉ। ସେତିକି ଭିତରେ ଜଣେ ଆଦିବାସୀ ମହିଳା ଛତା ଖଣ୍ଡେ ଧରି ତାଙ୍କର ଦୁଇ ଝିଅଙ୍କ ସହିତ ସେଇ ବହି ଦୋକାନକୁ ଆସିଲେ। ବର୍ଷା ପାଣିରେ ମହିଳା ଜଣଙ୍କର ଶାଢ଼ି ତଳ ଆଡୁ କାଦୁଆ କାଦୁଆ ହୋଇଯାଇଥାଏ। ଝିଅ ଦୁଇଜଣଙ୍କ ମୁହଁରେ କିନ୍ତୁ ଖୁସି ସ୍ପଷ୍ଟ ଦେଖିବାକୁ ମିଳୁଥିଲା। ବର୍ଷାର ମଜା ଲାଗି ହେଇଥାଉ ବା ଅନ୍ୟ କୌଣସି କାରଣ ହେଇଥାଉ, ସେତେ ଖୁସି କ’ଣ ପାଇଁ ଥିଲା ତାହା କିନ୍ତୁ ସ୍ପଷ୍ଟ ଜଣାପଡ଼ୁ ନ ଥିଲା। ମହିଳା ଜଣଙ୍କ ବହି ଦୋକାନୀକୁ ଅତି ଧୀର ସ୍ବରରେ କହିଲେ ‘ମୀନାବଜାର’ ବହିଟେ ଦେଲ। ”ବହି ଦୋକାନୀ ‘ମୀନାବଜାର’ ମହିଳାଙ୍କ ହାତକୁ ବଢ଼ାଇ ଦେଲା। ବହି ଯେମିତି ମହିଳାଙ୍କ ହାତକୁ ଯାଇଛି, ତାଙ୍କର ବଡ଼ ଝିଅ ସାଙ୍ଗେ ସାଙ୍ଗ ଓଦା ହାତକୁ ପିନ୍ଧିଥିବା ଫ୍ରକ୍‌ରେ ପୋଛିଦେଇ ବହିଟିକୁ ଛଡ଼େଇ ନେଇ ଦେଖିବାକୁ ଲାଗିଲା। ସାନ ଝିଅ କହିଲା ମା’ ମୋତେ ଗୋଟେ ଗପ ବହି ଦରକାର। ସାନ ଝିଅର କଥାରେ ବହି ଦୋକାନୀ କେତେ ଖଣ୍ଡ ଓଡ଼ିଆ ଗପବହି ଆଣି ଦେଖାଇଦେଲା। ସେଥିରୁ ସାନ ଝିଅ ଦୁଇଟି ଗପବହି ଚୟନ କଲା ଓ ବଡ଼ ଝିଅ ତା’ର ‘ମୀନାବଜାର’ ସହିତ ଆଉ ଗୋଟିଏ ଗପ ବହି ମଧ୍ୟ ଚୟନ କଲା। ଝିଅମାନେ ସମୂଳ ଚାରୋଟି ବହି ବାଛି ରଖିଲେ ଓ ତାଙ୍କ ମା’ ସେ ବାବଦରେ ବହି ଦୋକାନୀଙ୍କୁ ୧୨୦ଟଙ୍କା ବଢ଼ାଇଦେଲେ। କିଛି ସମୟ ପୂର୍ବରୁ ସେଇ ଝିଅ ଦୁହିଁଙ୍କର ମୁହଁରେ ଥିବା ସେଇ ଅସ୍ପଷ୍ଟ ଖୁସିର କାରଣ ଏବେ କିନ୍ତୁ ସ୍ପଷ୍ଟ ଜଣା ପଡି ଯାଉଥାଏ। ଝିଅମାନେ ତାଙ୍କ ମା’ ସାଙ୍ଗରେ ନୂଆ ବହି କିଣିବାକୁ ଆସୁଥିବାରୁ ଭାରି ଖୁସି ଥିଲେ। ବହି କିଣା ସରିଲା ଓ ପଇସା ଦିଆ ମଧ୍ୟ ସରିଲା। କିନ୍ତୁ ବର୍ଷାର ବେଗ ଦେଖି ସେମାନେ ଦୋକାନରେ କିଛି ସମୟ ଅପେକ୍ଷା କରିବାକୁ ଭାବିଲେ ଓ ମୋ ପାଖରେ ଆସି ଠିଆ ହୋଇଗଲେ। ତାଙ୍କ ଅଜଣାତରେ ମୁଁ ସେମାନଙ୍କର ସବୁ ଗତିବିଧି ଉପରେ ନଜର ରଖିଥାଏ। କାହିଁକି କେଜାଣି ସେଇ ଦୁଇ ଝିଅଙ୍କ ମୁହଁରେ ଥିବା ଖୁସି ମୋତେ ବହୁତ ଆକର୍ଷିତ କରୁଥିଲା। ତାଙ୍କ ପାଖରେ ଠିଆ ହେବା ସମୟରେ ଜାଣିବାକୁ ମିଳିଲା ଯେ ଦୁଇ ଭଉଣୀ ପ୍ରତି ବର୍ଷ ଉକତ୍ଳ ଦିବସ ଅବସରରେ ଓଡ଼ିଆ ଭାଷାର ବହି କିଣି ପଢ଼ନ୍ତି। ପ୍ରତି ବର୍ଷ କିନ୍ତୁ ସେମାନେ ଖଣ୍ଡେ ଖଣ୍ଡେ ବହି କିଣନ୍ତି,କିନ୍ତୁ ଏଇ ବର୍ଷ ସେମାନେ ଚାରି ଖଣ୍ଡ ବହି କିଣି ଥିବାରୁ ଅତି ବେଶି ଖୁସି ଥିଲେ। କେମିତି ଘରେ ଯାଇ ବହିଗୁଡ଼ାକ ପଢ଼ି ସାରିବେ, ସେଥିପାଇଁ ସେମାନେ ଆତୁର ଥିଲେ। ବର୍ଷା ପାଗକୁ ନଜରଅନ୍ଦାଜ କରି ମା’ ଛୁଆ ଓଡ଼ିଶା ଦିବସ ପାଳନ ନିମନ୍ତେ ଓଡ଼ିଆ ବହି କିଣିବାକୁ ବର୍ଷାରେ ଆସିଥିଲେ। ସେଇ ଆଦିବାସୀ ମା’ଟିଏ ଉଚ୍ଚ ଶିକ୍ଷିତା ନ ଥାଇ ପାରେ, କିନ୍ତୁ ନିଜ ମାଟିମା’ ପ୍ରତି ତା’ର କର୍ତ୍ତବ୍ୟ ଓ ତା’ ପିଲାଙ୍କୁ ଦେଉଥିବା ଶିକ୍ଷା ଅତୁଳନୀୟ ଥିଲା। ନିଜ ମାତୃଭୂମି ଲାଗି, ଆଦିବାସୀ ମା’ ଟିର ମାତୃତ୍ୱରେ ହିଁ ନେତୃତ୍ୱ ନିହିତ ଥିଲା।
ଓଡ଼ିଆ ଭାଷା ପ୍ରତି ଓ ଓଡ଼ିଶା ମାଟି ପ୍ରତି ସେଇ ଆଦିବାସୀ ପରିବାରର ଭଲ ପାଇବା ଏବଂ ଆନୁଗତ୍ୟ ଦେଖି ମୋତେ ଯେତିକି ଗର୍ବ ଲାଗିଲା, ସେତିକି ମର୍ମାହତ ଓ ଚିନ୍ତା ମଧ୍ୟ ଘାରିଲା। ସାଧାରଣତଃ ଏହା ସମସ୍ତଙ୍କର ଏକ ଭ୍ରାନ୍ତଧାରଣା ଯେ ଆଦିବାସୀମାନେ ଅଳ୍ପ ଶିକ୍ଷିତ, ଅଳ୍ପ ବୁଦ୍ଧିଆ ବା ପଛୁଆ ବର୍ଗର ଲୋକ। କିନ୍ତୁ ନିଜ ମାଟି ମା’ ଲାଗି ସେମାନଙ୍କର ଯୋଗଦାନ ଅବର୍ଣ୍ଣନୀୟ, ତାହା ସ୍ବାଧୀନତା ସଂଗ୍ରାମରେ ଜନଜାତି ଯୋଦ୍ଧାଙ୍କ କଥା ହେଉ ବା ଜଙ୍ଗଲ ଓ ପରିବେଶକୁ ଜଗି ସୁରକ୍ଷା ପ୍ରଦାନ କରୁଥିବା ଆଦିବାସୀ ସୁରକ୍ଷାକର୍ମୀଙ୍କ କଥା ହେଉ ବା ନିଜ ଜନ୍ମମାଟିର ଭାଷା ଲାଗି ସେଇ ସାଧାରଣ ଆଦିବାସୀ ମା’ର କୃତଜ୍ଞତା ହେଉ। ସେମାନେ ମାତୃଭୂମି ଓ ଜନ୍ମମାଟିର ଅତି ନିଃସ୍ବାର୍ଥପର ସନ୍ତାନ। ଓଡ଼ିଶାର ଆଦିବାସୀମାନଙ୍କର ଭାଷା ବା ଉପଭାଷା,ପରମ୍ପରା ଓ ସଂସ୍କୃତି ଅନେକ, ଯାହା ଓଡ଼ିଆ ଭାଷା ଓ ସଂସ୍କୃତିଠାରୁ ଭିନ୍ନ। ସେମାନଙ୍କର ମାତୃଭାଷା ଓଡ଼ିଆ ନ ହୋଇପାରେ,କିନ୍ତୁ ଯେହେତୁ ତାଙ୍କର ଜନ୍ମଭୂମି ଓଡ଼ିଶା, ତାଙ୍କ ମାଟି ମା’ ଓଡ଼ିଶା, ସେମାନେ ଓଡ଼ିଆ ଭାଷାକୁ ଅତି ନିଜର କରି ଆପଣେଇ ନେଇଛନ୍ତି, ଯାହା ସେମାନଙ୍କ ଉଦାରତାର ଏକ ଭିନ୍ନ ପରିଚୟ। ଜନଗଣନା ୨୦୧୧ ଅନୁଯାୟୀ, ଆଦିବାସୀ ଜନସଂଖ୍ୟା ଥିବା ଓଡ଼ିଶା ହେଉଛି ତୃତୀୟ ବୃହତ୍ତମ ରାଜ୍ୟ। ୬୨ଟି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଘର ହେଉଛି ଆମ ଓଡ଼ିଶା। ଆଦିବାସୀ ଜନସଂଖ୍ୟା ଓଡ଼ିଶାର ମୋଟ ଜନସଂଖ୍ୟାର ଶତକଡା ୨୩ ଭାଗ । ଏତେ ବିବିଧତା ମଧ୍ୟରେ ମଧ୍ୟ ଓଡ଼ିଆ ଭାଷା ଆଦିବାସୀଙ୍କର ଏତେ ନିଜର ଓ ପ୍ରିୟ ହୋଇପାରୁଛି ଦେଖି ଅଭିଭୂତ ଲାଗୁଛି।
ସମଗ୍ର ଭାରତବର୍ଷରେ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ପ୍ରଥମ। ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ମଧ୍ୟ ଲାଭ କରିଛି। ଭାଷା ହେଉଛି ଗୋଟିଏ ଜାତିର ଆତ୍ମା, ଦେଶର ଅସ୍ମିତା। ଜନଜାତି ହେଉଛନ୍ତି ମାନବ ସମାଜର ଅସ୍ତିତ୍ୱ। ତାଙ୍କରି ପାଖରେ ଅଛି ବିକାଶର ମୂଳ ମନ୍ତ୍ର। ପରକୁ ଆପଣେଇ ନେବାର ଉଦାରତା,ବିବିଧତାରେ ସମନ୍ବୟ ରକ୍ଷାକରି ଏକତା ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିବାର କଳା ଏବଂ ଦକ୍ଷତା, ପ୍ରଥମେ ମାଟି ଓ ତା’ପରେ ଜାତିକୁ ଶ୍ରେୟ ଦେବାର ନିପୁଣତା, ଜନଜାତିଙ୍କୁ କରିଦିଏ ସମସ୍ତଙ୍କଠାରୁ ଅସାଧାରଣ ଓ ଅନନ୍ୟ। ଓଡ଼ିଆ ଭାଷା ଯେ କେବଳ ଓଡ଼ିଆଙ୍କର ତାହା ନୁହେଁ,ବରଂ ସାରା ଓଡ଼ିଶାର, ଯାହାର କୀର୍ତ୍ତି ବଜାୟ ରଖିବାର ଦାୟିତ୍ୱ ସବୁ ଓଡ଼ିଶାବାସୀଙ୍କର। ଏହି ମୂଳମନ୍ତ୍ରର ଉଦାହରଣ ଦେଇଛନ୍ତି ସେଇ ଆଦିବାସୀ ମା’ ଓ ଝିଅ, ଯେଉଁମାନେ ନିଜର ଏକ ସାଧାରଣ କାର୍ଯ୍ୟ ଜରିଆରେ ଅସାଧାରଣ ଶିକ୍ଷା ସମସ୍ତଙ୍କୁ ଦେଇପାରିଛନ୍ତି ବୋଲି ମୋର ଅନୁମାନ। ଉଚିତ ଶିକ୍ଷା, ନିଜ ମାଟି, ମାଟିର ଭାଷାକୁ ସମ୍ମାନ ଦେବା ଓ ତା’ର କୀର୍ତ୍ତି ବଜାୟ ରଖିବାର ପ୍ରକ୍ରିୟା ଓ ପ୍ରଣାଳୀ ହିଁ ମାଟି ମା’ ଲାଗି କୃତାଞ୍ଜଳି। ତାହା ସେଇ ଆଦିବାସୀ ମା’ ଜଣଙ୍କ ନିଜେ ବୁଝି, ନିଜ ପିଲାମାନଙ୍କୁ ମଧ୍ୟ ନିଆରା ଶୈଳୀରେ ବୁଝାଇଥିବାରୁ, ହୃଦୟରୁ ଧନ୍ୟବାଦ।

  • ଡ.ଅନ୍ତର୍ଜିତା ନାୟକ
    ମୋ: ୬୩୭୦୯୦୫୯୪୭

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri