ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି’ ଏବଂ ‘ମା’, ମାଟି, ମାଳି ସୁରକ୍ଷା ମଞ୍ଚ’ ପକ୍ଷରୁ ଏକ ବିଶାଳ ପ୍ରତିବାଦ ରାଲି ବାହାରିଥିଲା। ଏହି ୪ କିଲୋମିଟର ଦୀର୍ଘ ପଦଯାତ୍ରା ଗ୍ରାମ ପରିକ୍ରମା କରି କୁର୍କୁଟି ମୌଜାଠାରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ସଭାରେ ସ୍ଥାନୀୟ ଆଦିବାସୀ, ପରିବେଶ ପ୍ରେମୀ ଓ ସମାଜସେବୀମାନେ ଏକତ୍ରିତ ହୋଇ ଅଞ୍ଚଳର ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ଖଣି ଖନନ ବନ୍ଦ କରିବାକୁ ବଜ୍ର ଶପଥ ନେଇଛନ୍ତି। ଗତ କିଛି ମାସ ତଳେ ଖଣି ବିରୋଧୀ ଆନ୍ଦୋଳନ ଯୋଗୁଁ ତଳ ଆମ୍ବପଦର ଅଞ୍ଚଳରୁ ମିଥ୍ୟା ମାମଲାରେ ଜେଲ୍ ଯାଇ ଖଲାସ ହୋଇଥିବା ୨୧ ଜଣ ସଂଗ୍ରାମୀଙ୍କୁ ସଭାସ୍ଥଳରେ ପୁଷ୍ପମାଲ୍ୟ ଦେଇ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ପ୍ରକୃତିର ସୁରକ୍ଷା କରୁଥିବା ଲୋକଙ୍କୁ ସରକାର ପୁରସ୍କୃତ କରିବା ପରିବର୍ତ୍ତେ ଜେଲ୍ ପଠାଉଥିବାରୁ ଜନତା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ସଭାରେ ଯୁବ ସମାଜସେବୀ ବ୍ରିଟିଶ୍ କୁମାର ସରକାରଙ୍କ ଖଣି ନୀତିକୁ ସମାଲୋଚନା କରି କହିଛନ୍ତି ଯେ, ଗୋଟିଏ ପଟେ ‘ଏକ ପେଡ୍ ମା କେ ନାମ୍’ ଯୋଜନାରେ ଗଛ ଲଗାଯାଉଥିବା ବେଳେ ଅନ୍ୟପଟେ ହଜାର ହଜାର ଏକର ପ୍ରାକୃତିକ ଜଙ୍ଗଲ ଧ୍ୱଂସ କରାଯାଉଛି। ବର୍ତ୍ତମାନର ମୋହନ ଚରଣ ମାଝୀଙ୍କ ସରକାର ପୂର୍ବତନ ବିଜେଡି ସରକାର ସମୟର ଖଣି ଲିଜ୍କୁ କାର୍ଯ୍ୟକାରୀ କରୁଛନ୍ତି, ଯାହା ବିକାଶ ବଦଳରେ ବିନାଶ ଆଣିବ ଏବଂ ଏହାଦ୍ୱାରା କେବଳ ଖଣି ମାଫିଆ ଓ ଉଦ୍ୟୋଗପତିମାନେ ଲାଭବାନ ହେବେ। କମ୍ପାନୀମାନଙ୍କୁ ହଜାର ହଜାର ଏକର ଜମି ଦିଆଯାଉଥିବା ବେଳେ ସରକାର ଥୁଆମୂଳ ରାମପୁରରେ ଏକ ଯୁକ୍ତ ୩ ମହାବିଦ୍ୟାଳୟ ଏବଂ ସ୍ଥାନୀୟ କୋର୍ଟ ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦେଇପାରୁନାହାନ୍ତି। ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ, ଖଣ୍ଡୁଆଳମାଳି, କୁଟ୍ରୁମାଳି କିମ୍ବା ସିଜିମାଳିରେ ଖଣି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସମ୍ବିଧାନର ‘ପେସା ଆଇନ’ ଅନୁଯାୟୀ ପଲ୍ଲୀସଭା ଓ ଗ୍ରାମସଭା ଜରିଆରେ ବିସ୍ଥାପିତ ଅଞ୍ଚଳବାସୀଙ୍କ ମତାମତ ନିଆଯାଉ। ଯଦି କର୍ଲାପାଟ ଅଭୟାରଣ୍ୟ ସଂଲଗ୍ନ ଏହି ଅଞ୍ଚଳରେ ଖଣି ଲିଜ୍ ପ୍ରକ୍ରିୟା ତୁରନ୍ତ ବାତିଲ ନ କରାଯାଏ, ତେବେ ଆଗାମୀ ଦିନରେ ସମଗ୍ର ପ୍ରଭାବିତ ଅଞ୍ଚଳବାସୀ ସାମୂହିକ ଭାବେ “ଭୋଟ୍ ବର୍ଜନ” କରିବେ ବୋଲି ପ୍ରଶାସନକୁ ସିଧାସଳଖ ଚେତାବନୀ ଦେଇଛନ୍ତି। ଏହି ଗଣ-ଆନ୍ଦୋଳନରେ ମା’, ମାଟି, ମାଳି ସୁରକ୍ଷା ମଞ୍ଚର ଲାଇ ମାଝୀ, ଲୁକ୍ଷ୍ମଣ ମାଝୀ, ହିରାମଲ ନାଏକ, ପୁଷ୍ପା ମାଝୀ, ପ୍ରେମଶିଳା ମାଝୀ, ସୁରେଶ୍ୱର ନାଏକ, ବୁଦୁ ମାଝୀ, ମୁକ୍ତା ମାଝୀ, ମୂର୍ତ୍ତି ମାଝୀ, ଫୁଲନ୍ତି ମାଝୀ, ରାଣୀଙ୍ଗ ଦେବ ମାଝୀ, ସୁରେଶ ସଂଗ୍ରାମ, ସନାତନ ପ୍ରଧାନ ଏବଂ ଖଣ୍ଡୁଆଳମାଳି ସୁରକ୍ଷା ସମିତିର କାର୍ତ୍ତିକ ମାଝୀ, ବ୍ରିଟିଶ କୁମାର, ଉପେନ୍ଦ୍ର ନାଏକ, ରୁଖନ୍ ନାଏକ, ନିର୍ମଳ ପତ୍ର, ପ୍ରଧାନ ମାଝୀ, ଭୂପେନ୍ଦ୍ର ମାଝୀ, ରାମ ମାଝୀ, ଦୀପଞ୍ଜଳି ମାଝୀ, କିଶୋର ମାଝୀ, ସାନୁ ମାଝୀ ଓ ଜଗତରାମ ମାଝୀଙ୍କ ସମେତ ହଜାର ହଜାର ଜନସାଧାରଣ ସାମିଲ ହୋଇଥିଲେ।